ଜଙ୍ଗଲ ପଦା ପରେ ବିୟର୍‌ ପ୍ଲାଣ୍ଟ୍ ବନ୍ଦ କରି ବାହାବା ସାଉଣ୍ଟିବାକୁ ବିଜେଡିର ପ୍ରୟାସ

ଢେଙ୍କାନାଳ: ବଳରାମପୁର ଗଛକଟା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ପ୍ରସ୍ତାବିତ ମଦ ଫାକ୍ଟ୍ରି ବାତିଲ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଥିରୁ ରାଜନୈତିକ ରୁଟି ସେକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସ୍ଥାନୀୟ ଶାସକ ଦଳର ନେତା।

ରାତି ଅଧିଆ ଗଛକଟାକୁ ୪ ଦିନ ବିତିଥିଲେ ହେଁ ଏଯାଏ ଗାଁ ଲୋକଙ୍କ ମନରୁ କ୍ଷୋଭ କମିନି। ଆଜି ଉତ୍ତରାଞ୍ଚଳ ଆର୍‌ଡିସି ଡି.ଭି. ସ୍ୱାମୀ ଧ୍ୱଂସ ପ୍ରାୟ ଜଙ୍ଗଲ ବୁଲି ଗାଁ ଲୋକଙ୍କୁ ଭେଟିଥିଲେ। ସେଠି ଆଉ ବଟଲିଂ ପ୍ଲାଣ୍ଟ୍‌ ହେବନି ବୋଲି ପ୍ରତିଶ୍ରୁତି ବି ଦେଇଥିଲେ।

ହେଲେ ଏତେବଡ଼ ଘଟଣା ପଛର ଦୋଷୀ କିଏ ? ସେମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ, ସେ ନେଇ ଗାଁ ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ଆର୍‌ଡିସି। ତେବେ ଲୋକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ଗାଁ ଲୋକ କ୍ଷତିପୂରଣ ସହ ଗ୍ରାମ୍ୟ ଜଙ୍ଗଲର କିସମ ପୂର୍ବାବସ୍ଥାକୁ ଫେରାଇବାକୁ ଅଡ଼ି ବସିଛନ୍ତି।

ମଦ ଫ୍ୟାକ୍ଚ୍ରିବାତିଲ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ ରାଜନୈତିକ ରୁଟି ସେକିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏମିତିକି ଶାସକଦଳର ନେତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଭୁବନେଶ୍ୱର ଯିବା ଲାଗି ବାଧ୍ୟ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବା ନେଇ କୌଣସି କାର୍ଯ୍ୟକ୍ରମ ସ୍ଥିର ହୋଇନଥିବା କହିଛନ୍ତି ଢେଙ୍କାନାଳ ଜିଲ୍ଲାର ଦୁଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ନୃସିଂହ ସାହୁ।

ଅନ୍ୟପଟେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳ ବୁଲିବା ସହ ଏଭଳି କାଣ୍ଡ ଘଟାଇଥିବା ଅଫିସର୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପଟେ ମଦ ଫ୍ୟକ୍ଟ୍ରି ପାଇଁ ବଳରାମପୁରରେ ଗଛ କଟାଯିବା ଘଟଣାକୁ କଡ଼ା ସମାଲୋଚନା କରିଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ ତାଙ୍କ ଟ୍ୱିଟର୍‌ରେ ଲେଖିଛନ୍ତି, ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଚର୍‌ ଉଡ଼ିବାରୁ ପରିବେଶ ଆଇନ ଉଲ୍ଲଂଘନ ହୋଇଥିବା ବିଭାଗୀୟ ମନ୍ତ୍ରୀ କହିଥିଲେ। ହେଲେ ଏଠି ମଦ କମ୍ପାନୀ ପାଇଁ କେଉଁ ଆଇନରେ ଗଛ କାଟି ପକାଇଲେ ବୋଲି ସେ ଟ୍ୱିଟର୍‌ରେ ଲେଖିଛନ୍ତି।

ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ବଳରାମପୁରରେ ପ୍ରସ୍ତାବିତ ମଦକାରଖାନା ବାତିଲ୍‌ ପ୍ରସଙ୍ଗରେ ପ୍ରଶ୍ନ କରି ଲେଖିଛନ୍ତି-ଜୁଲାଇରେ ସରକାର ଏହାକୁ ଅନୁମୋଦନ ଦେଇ ଶିଳାନ୍ୟାସ କରିଥିଲେ। ଏବେ ବଟଲିଂ ପ୍ଲାଣ୍ଟ୍ ନାଁରେ ପ୍ରକଳ୍ପ ବାତିଲ କହିବା ନେଇ ପ୍ରଶ୍ନ ଉଠିଛି। ଏହି ନିଷ୍ପତ୍ତିଗୁଡ଼ିକ କିଏ ନେଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

 

You might also like