କେବଳ ପୁରୀ ନୁହେଁ, ଆଜି ପୁରପଲ୍ଲୀ ପାଲଟିଛି ଶ୍ରୀକ୍ଷେତ୍ର

ଭୁବନେଶ୍ୱର : କେବଳ ପୁରୀ ନୁହେଁ, ଆଜି ପୁରପଲ୍ଲୀ ପାଲଟିଛି ଶ୍ରୀକ୍ଷେତ୍ର। ରାଜରାସ୍ତାଠୁ ଗଳିକନ୍ଦି, ସବୁ ପାଲଟିଛି ବଡ଼ଦାଣ୍ଡ। ସେଇ ଭାବ, ସେଇ ଭକ୍ତିରେ ପାଳିତ ହୋଇଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରା। ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳିରେ ଉଛୁଳି ପଡ଼ୁଛି ରାଜଧାନୀର ରାଜରାସ୍ତା।  ବର୍ଷା ସତ୍ତ୍ୱେ ମଳିନ ପଡ଼ିନି ଭକ୍ତଙ୍କ ଉତ୍ସାହ। ଇସ୍କନ ମନ୍ଦିରରୁ ରଥ ଗଡ଼ିବା ବେଳେ କିଏ ରଥ ଆଗରେ ନାଚଗୀତରେ ତଲ୍ଲୀନ ଥିଲା ତ କିଏ ପ୍ରଭୁଙ୍କ ଝଲକଟିଏ ପାଇବା ପାଇଁ ଅନେଇଥିଲା ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ବି ପ୍ରତିବର୍ଷ ଭଳି ଉତ୍ସାହ ଉଲ୍ଲାସର ସହ ପାଳିତ ହୋଇଛି ଘୋଷଯାତ୍ରା। ପାରମ୍ପାରିକ ବେଶଭୂଷାରେ ସଜ୍ଜିତ ହୋଇ କିଏ ଦିଅଁଙ୍କୁ ପଣସ ଯାଚୁଥିଲା ତ ଆଉ କିଏ ଦୀପ ଜାଳୁଥିଲା। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ରଥଯାତ୍ରା ଧୁମ୍‌ଧାମ୍‌ରେ ପାଳନ ହୋଇଛି। ନୀତି ଅନୁସାରେ ଛେରା ପହଁରା ପରେ ଆଜି ଏଠାରେ ତିନି ଦିଅଁଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଓ ତା ପରଦିନ ହେବ ରଥଟଣା।

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାସ୍ଥିତ ପ୍ରଭୁ ବଳଦେବଜୀଉଙ୍କ ପୀଠରେ ବି ରଥଯାତ୍ରା ପାଇଁ ବେଶ୍ ଗହଳି ଲାଗିଥିଲା। ଏଠାରେ ଆଜି ପହଣ୍ଡି ପରେ ରଥ କିଛି ବାଟ ଟଣାଯାଇଥିଲା। ଆସନ୍ତାକାଲି ପୁଣି ରଥ ଟଣା ଯିବ।  କଟକ ଓ ରାଉରକେଲା ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବି ଧୁମଧାମରେ ପାଳିତ ହୋଇଛି ରଥଯାତ୍ରା।

ଓଡ଼ିଶା ବାହାରେ ବି ଦେଖିବାକୁ ମିଳିଛି ମହାନ ଜଗନ୍ନାଥ ସଂସ୍କୃତିର ଝଲକ। ଗୁଜରାଟର ଅହମ୍ମଦାବାଦ ଓ ସୁରତରେ ଭକ୍ତି ଓ ଆନନ୍ଦରେ ପାଳିତ ହୋଇଛି ଘୋଷଯାତ୍ରା। ଅହମ୍ମଦାବାଦରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କରିଥିଲେ ଛେରା ପହଁରା । ସୁରତରେ ୫୮୭ ବର୍ଷ ପୁରୁଣା ଘୋଡ଼ିଆ ବାବା ମନ୍ଦିର ପକ୍ଷରୁ ଆୟୋଜିତ ରଥଯାତ୍ରାରେ ତିନି ରଥକୁ ଟାଣିଥିଲେ ଦୁଇଟି ଲେଖାଏଁ ଘୋଡ଼ା। ରଥ ଆଗରେ ପ୍ରବାସୀ ଓଡ଼ିଆଙ୍କ ସହ ଗୁଜରାଟୀ ମାନେ ବି ଭାଗ ନେଇ ବିଭିନ୍ନ ପ୍ରକାର କଳାକୌଶଳ ପ୍ରଦର୍ଶନ କରିଥିଲେ।

ସେପଟେ ଦିଲ୍ଲୀ ହଜ୍ ଖାସ୍‌ରେ ମଧ୍ୟ ହଜାର ହଜାର ଲୋକଙ୍କ ଗହଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧରି ଗଡ଼ିଛି। ରଥ ଉପ-ରାଜ୍ୟପାଳ ଅନୀଲ ବୈଜଲ ଓ ବିଜେପି ସାଂସଦ ମନୋଜ ତିଓ୍ୱାରୀ ପ୍ରମୁଖ ଏଥିରେ ଯୋଗଦେଇ ଛେରା ପହଁରା କରିଥିଲେ।

 

 

You might also like