• translate
Rajalaxmi Sahoo

ପୁରୀ: ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। CJI ଏନ୍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍‌ଲିରେ ରଥଯାତ୍ରା ପାଇଁ ଆବେଦନ ହୋଇଥିଲା।

ଆବେଦନ ଖାରଜ ଅବସରରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ମୁଖ୍ୟ ବିଚାରପତି କହିଥିଲେ, ଏମିତି କରିବାକୁ ମୋତେ ଭଲ ଲାଗୁନି, କିନ୍ତୁ ଆମେ ନାଚାର। ଆସନ୍ତା ବର୍ଷ ଭଗବାନ ରଥଯାତ୍ରା ପାଇଁ ଅନୁମତି ଦେବେ ବୋଲି ଆଶା କରୁଛୁ।

ସୂଚନାଥାଉ କି, ପୂର୍ବରୁ ହାଇକୋର୍ଟ ଏ ସମ୍ପର୍କିତ ଆବେଦନର ଖାରଜ କରିଥିଲେ। ହେଲେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଆବେଦନକାରୀ।

ଶ୍ରୀକ୍ଷେତ୍ରରେ ରଥଯାତ୍ରା ବେଳେ ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ। ଏନେଇ ସ୍ପଷ୍ଟ ସୂଚନା ରଖିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଘର, ଲଜ୍‌ ଏବଂ ହୋଟେଲ ଛାତରେ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗିବ। ଯେହେତୁ ରଥଯାତ୍ରା ବେଳେ ୧୪୪ ଧାରା ଲାଗିବ, ତେଣୁ ଛାତ ଉପରୁ ବି ରଥଯାତ୍ରା ଦେଖିବା ଉପରେ କଟକଣା ଲଗାଯିବ ବୋଲି କିଛିଦିନ ପୂର୍ବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଥିଲେ। ଜିଲ୍ଲାପାଳ କହିଥିଲେ, ରଥଯାତ୍ରା ବେଳେ ଘର ଭିତରେ ଲୋକେ ରହିବେ। ବଡ଼ଦାଣ୍ଡରେ ଥିବା ହୋଟେଲ, ଲଜ୍‌ ଏବଂ ଧର୍ମଶାଳାକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ। ୨୦୦ରୁ ଅଧିକ ଘର ଓ ୪୧ଟି ହୋଟେଲ, ଲଜ୍‌ ରହିଛି। ରଥଯାତ୍ରାରେ ଛାତ ଉପରେ କେହି ଯେପରି ଯିବେନି ସେନେଇ କଡ଼ା ନିୟମ ଲାଗୁ କରାଯିବ।

ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା। ଗତବର୍ଷ ଭଳି ଏଥର ବି ଯେମିତି ସୀମିତ ସଂଖ୍ୟକ ସେବାୟତ ରଥ ଉପରେ ରହିବେ ସେନେଇ ନିଷ୍ପତ୍ତି ନିଆଯାଇଛି। ପୁରୀ ବାହାରର କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ନାହିଁ। ରେଳ ଓ ବସ୍‌ ଚଳାଚଳ ସହ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜିଂ ଖାଲି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Other Stories