ଜନ୍ମବେଦୀକୁ ଯିବ କାଳିଆ, ଚମତ୍କାର କଲେ କି ମହାପ୍ରଭୁ!

ଭୁବନେଶ୍ୱର: ଅଲୌକିକ ନା କାଳିଆର ଚମତ୍କାର। ୪ ଦିନ ତଳେ ଯେଉଁ ସୁପ୍ରିମକୋର୍ଟ କୋଭିଡ୍ ମହାମାରୀକୁ ଦେଖି ଏବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି କିନ୍ତୁ ବଦଳାଇଛନ୍ତି ରାୟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧିନ ସେହି ୩ ଜଣିଆ ଖଣ୍ଡପୀଠ ରଥଯାତ୍ରା ପରମ୍ପରା ରକ୍ଷା ଲାଗି ଦାଏର ଏକାଧିକ ପିଟିସନ ଉପରେ ଶୁଣାଣି କରି ପୁରୀରେ ସର୍ତ୍ତମୂଳକ ରଥଯାତ୍ରା ଆୟୋଜନ ପାଇଁ ଦେଇଛନ୍ତି ଅନୁମତି।

ତେବେ ରଥଯାତ୍ରା ଅନୁଷ୍ଠିତ କରିବା ନେଇ ଆଜି ସୁପ୍ରିମକୋର୍ଟର ଜଣିକିଆ ବେଞ୍ଚ ଆଗରେ ଦୃଢ଼ ଯୁକ୍ତି ରଖିଥିଲେ କେନ୍ଦ୍ର ସରକାର। କୋଟି କୋଟି ଲୋକଙ୍କ ଆସ୍ଥା ଓ ଶହଶହ ବର୍ଷର ପରମ୍ପରା ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଥିଲେ ସଲିସିଟର ଜେନେରାଲ ତୁଷାର ମେହଟା।

ତାସହ ଏବର୍ଷ ରଥଯାତ୍ରା ବନ୍ଦ ହେଲେ ଆଗାମୀ ୧୨ ବର୍ଷ ଯାଏ ଆଉ ଯାତ୍ରା ହୋଇପାରିବ ନାହିଁ ବୋଲି ବି କୋର୍ଟଙ୍କୁ ଜଣାଇଥିଲେ। ଏକଥା ମଧ୍ୟ କହିଥିଲେ, କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ରଥଯାତ୍ରା ସମ୍ଭବ। ରାଜ୍ୟ ସରକାର କର୍ଫ୍ୟୁ ଜାରି କରି ରଥଯାତ୍ରା ଆୟୋଜନ କରିପାରିବେ। ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ। ଭକ୍ତଙ୍କ ପାଇଁ ଟେଲିଭିଜନରେ ସିଧାପ୍ରସାରଣ ବ୍ୟବସ୍ଥା କରାଯିବ।

କେନ୍ଦ୍ର ସରକାର ଏଭଳି ବଳିଷ୍ଠ ଯୁକ୍ତି ରଖିବା ପରେ ଏହାକୁ ସମର୍ଥନ କରିଥିଲେ ରାଜ୍ୟ ସରକାର। ବିନା ଭକ୍ତରେ ଓ କେବଳ ପୁରୀରେ ରଥଯାତ୍ରା ଆୟୋଜନ ଲାଗି ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସତ୍ୟପାଠ ଦାଖଲ କରିଥିଲେ।

ତାସହ ଏହା ମଧ୍ୟ ଦର୍ଶାଇଥିଲେ ଯେ, ରଥଯାତ୍ରା ସମୟରେ ସାଧାରଣତଃ ୧୦ରୁ ୧୨ ଲକ୍ଷ ଲୋକ ଏକତ୍ରିତ ହୋଇଥାଆନ୍ତି। ରାଜ୍ୟର ପ୍ରତି ପଞ୍ଚାୟତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ବହୁସଂଖ୍ୟାରେ ଲୋକ ସାମିଲ ହୋଇଥାଆନ୍ତି। ଏବେ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ବର୍ଷା ଋତୁ ଆରମ୍ଭ ହେବା କାରଣରୁ ଜୁନ୍ ଓ ଜୁଲାଇ ମାସରେ କୋଭିଡ୍ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ଆଶଙ୍କାକୁ ଦେଖି, ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ବନ୍ଦ ଲାଗି ଆବେଦନ ହୋଇଥିଲା ତେବେ ଯଦି ବିନା ଭକ୍ତରେ ଯଦି କେବଳ ପୁରୀ ରଥଯାତ୍ରା କରାଯିବ, ରାଜ୍ୟ ସରକାର ସେନେଇ ଆବଶ୍ୟକ ବ୍ୟବସ୍ଥା କରିବେ।

ସର୍ବୋଚ୍ଚ କୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ ଓ କେନ୍ଦ୍ର ସମନ୍ୱୟରେ ରଥଯାତ୍ରା ହେଉ, ଯାତ୍ରା ପାଇଁ ଜନସ୍ୱାସ୍ଥ୍ୟକୁ ଆଦୌ ସାଲିସ କରାଯିବ ନାହିଁ ଯଦି ପରିସ୍ଥିତି ଖରାପ ହୁଏ, ତାହାଲେ ରାଜ୍ୟ ସରକାର ପୁରା ନୀଳାଦ୍ରି ବିଜେ ଭିତରେ କେବେବି ଯାତ୍ରା ବନ୍ଦ କରିପାରିବେ। ତେବେ ୩ ରଥ କିପରି ଟଣାଯିବ, ସେନେଇ ବିସ୍ତୃତ ସର୍ତ୍ତାବଳୀ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like