ଭିନ୍ନ ଜଣେ ସାଲବେଗ, ଜଗନ୍ନାଥଙ୍କ ପାଇଁ ଗାଉଛନ୍ତି ଭଜନ

ଭୁବନେଶ୍ୱର: କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ ନନ୍ଦି ଘୋଷେ ଥିବ ରହି…।” ଭକ୍ତର ଯେ, କୌଣସି ଜାତି ଆଉ ଧର୍ମ ନ ଥାଏ ସେ କଥା ପ୍ରମାଣିତ ହୋଇଥିଲା ସେଦିନ।

ଜାଣିଛନ୍ତି, ସାଲବେଗଙ୍କ ଭଳି ଆଉ ଜଣେ ଭକ୍ତ ଜନ୍ମିଛନ୍ତି ଆମ ଓଡ଼ିଶା ମାଟିରେ। ଯାହାଙ୍କ ଜନ୍ମ ବୃତାନ୍ତ ଶୁଣିବା ପରେ ଆପଣଙ୍କ ହାତ ଯୋଡ଼ି ହୋଇଯିବ ଓ ଆଖିରୁ ଝରି ପଡ଼ିବ ଲୁହ, ଖାସ୍ ସେଇ କଳା ଠାକୁରଙ୍କ ଲାଗି।

ସେ ହେଉଛନ୍ତି, ନୟାଗଡ ଜିଲା ଖଣ୍ଡପଡାର ଭିକାରୀ ମହମ୍ମଦ। ଏହି ନାଁ ହିଁ ତାଙ୍କର ପରିଚୟ। ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ପରିସରେ ଥିବା ମୁକ୍ତି ମଣ୍ଡପରେ ସେ ବସନ୍ତି। ଆଉ କାଳିଆ ମୁହଁକୁ ଚାହିଁ ଗାଆନ୍ତି ଗୀତ। ମୁଣ୍ଡରେ ଟୋପି, ମୁହଁରେ ଦାଢି ଥିବା ଏହି ସଚ୍ଚା ମୁସ୍ଲମାନ୍ ଭାଇ ଜଣକ ଯେବେ ଗଦ୍ଗଦ୍ ହୋଇ ଗୀତ ଗାଆନ୍ତି ଆପଣଙ୍କ ଆଖିରେ ବି ଜକେଇ ଆସିବ ଲୁହ। କାଳିଆର ମାୟା ବୁଝିବାକୁ ଆପଣ ବି ଅଟକି ଯିବେ ଆଉ ପଚାରିବେ ତାଙ୍କ ଭକ୍ତିର ମାର୍ଗ ସମ୍ପର୍କରେ।

ପାଖାପାଖି ୪୦ ବର୍ଷ ତଳର କଥା। ଦୁଇ ଦୁଇଟା ଝିଅ ପରେ ବି ପୁଅଟିଏ ନ ଥିଲା ତାଙ୍କର। ଏହି ଘଟଣାକୁ ନେଇ ମୁସଲମାନ୍ ଦମ୍ପତିଙ୍କ ଭିତରେ ସବୁବେଳେ ଲାଗି ରହୁଥିଲା ଝଗଡ଼ା। ତଲାକ୍ ପର୍ଯ୍ୟନ୍ତ କଥା ବି ଯାଇଥିଲା। ହେଲେ କୌଣସି ଦୁର୍ବଳ ମୁହୂର୍ତ୍ତରେ ଭଗବାନ ସଦୟ ହେବାରୁ ତଲାକ୍ ହୋଇ ନ ଥିଲା। ହେଲେ ପୁଅଟିଏ ନ ଥିବାରୁ ପତ୍ନୀଙ୍କୁ ଘରୁ ତଡି ଦେଇଥିଲେ ତାଙ୍କ ସ୍ୱମୀ। ମହିଳା ଜଣକ ନିଜକୁ ବେସ୍ ଅସହାୟ ମନେକଲେ। ଘରେ ଛୋଟ ଝିଅ ଦୁଇଟିକୁ ଛାଡି ସାରା ଖଣ୍ଡପଡ଼ା ସହର ବୁଲିଲେ। ଏତିକି ବେଳେ ନଜର ପଡ଼ିଲେ ଦଳେ ମହିଳା। ଯେଉଁମାନେ ପାଳୁଥିଲେ ଦୁତୀଆ ଓଷା। ଓଡିଆ ଘରର ମହିଳମାନେ ପୁଅଟିଏ ପାଇବାକୁ ଏହି ଓଷା କରିଥା’ନ୍ତି। ଯାହା ଶୁଣିବା ପରେ ସମ୍ପୃକ୍ତ ମୁସଲିମ୍ ମହିଳା ଜଣକ ମନରେ ଆଶାର ସୂର୍ଯ୍ୟୋଦୟ ହେଲା।

ଅଭିମାନ କରି ଖଣ୍ଡପଡା ଜଗନ୍ନାଥ ମନ୍ଦିର ସାମ୍ନାରେ ଛିଡାହୋଇ କହିଲେ “ଦୁନିଆ ଯାକର ଲୋକଙ୍କୁ ତମେ କେତେ କ’ଣ ଦେଉଛ। ତା’ ହେଲେ ମତେ ପୁଅଟିଏ ଦିଅ। ଜାଣିବି ତୁମେ ବଡ଼ ପାରିବାର ଦିଅଁ। ଯଦି ପୁଅଟିଏ ହୁଏ ସେ ହେବ ତୁମର ଭିକ୍ଷା, ନ ଦେବ ଯଦି ତୁମ ଦୁଆରେ ମରିବି। ଭାବି ନେବେ ମୋ ଶବ ତୁମର।” ଏହି ଅଭିମାନ ପରେ ମହିଳା ଜଣକ ଆରମ୍ଭ କରନ୍ତି ଦୁତିଆ ଓଷା। କିଏ କହିଥିଲା କେଜାଣି ଅଜଣା ଭାବାବେଗରେ ଅଣ୍ଟିରେ ପୁରାଇ ରଖିଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଛୋଟିଆ ଫଟୋଟିଏ। କାଳେ କିଏ ଜାଣିଦେବ ସେଥିପାଇଁ ଲୁଚି ଲୁଚି ପାଳିଥିଲେ ଓଷା।

କାଳିଆକୁ ବି ମାୟା ଲାଗି ଯାଇଥିଲା ବୋଧେ। ନ ହେଲେ ସେ କ’ଣ ସହଜରେ କାହା ଡାକ ଶୁଣେ। ହେଲେ ଯବନ ଭକ୍ତଟିର କଥା ଟାଳି ପାରିଲାନି। ଓଷା ପରେ ପରେ ତାଙ୍କ ଅଣ୍ଟି ପୂରଣ ହେଲା। ତାଙ୍କର ପୁଅଟିଏ ହେଲା। ଏଥର ମହିଳା ଜଣକ ଘରକୁ ଯିବାକୁ ବାଟ ପାଇଗଲେ। ଯୋଉ ସ୍ୱାମୀ ଦିନେ ତଲାକ୍ ଦବ ବୋଲି କହି ଘରୁ ତଡିଥିଲା, ତା’ ଆଗରେ ପୁଅକୁ ଥୋଇ କହିଲେ- “ଦେଖ ଭିକ ମିଳିଗଲା।” ହେଲେ ମହିଳାଙ୍କ ସ୍ୱାମୀ କହୁଥା’ନ୍ତି ‘ଏ ଭିକ ନୁହେଁ, ଏ ମୋର ମହମ୍ମଦ’ । ଏହି କଥା ଶୁଣି ପତ୍ନୀ କହିଲେ ମହମ୍ମଦ ନୁହେଁ, ଏ ହେଉଛି ଜଗନ୍ନାଥଙ୍କ ଭିକ। ବାସ୍ ସ୍ୱାମୀ ସ୍ତ୍ରୀଙ୍କ ଏହି ଦାମ୍ପତ୍ୟ କଳହରେ ପୁଅଟିର ନାଁ ହେଇଗଲା “ଭିକାରୀ ମହମ୍ମଦ”।

ଭିକାରୀ ମହମ୍ମଦ ସକାଳେ ନମାଜ ପଢନ୍ତି। ଆଉ ଛାଇ ଲେଉଟିଲା ବେଳକୁ ଚାଲିଆସନ୍ତି ମନ୍ଦିର। କାଳିଆ ଠାକୁରଙ୍କ ଆଗରେ ଗୀତ ପଦିଏ ଗାଇ ଦେଲେ ତାଙ୍କୁ କୋଟିନିଧି ପାଇଲା ପରି ଲାଗେ।

You might also like