ସରିଲା ରଥଯାତ୍ରା, ନୀଳାଦ୍ରି ବିଜେ କଲେ ଶ୍ରୀଜିଉ

ପୁରୀ : କୋଟି ହୃଦୟର ଦେବତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ଲୀଳାଖେଳା। ସନ୍ଧ୍ୟାଧୂପ ନୀତି ପରେ ନୀଳାଦ୍ରି ବିଜେ କରିଛନ୍ତି ଶ୍ରୀଜିଉ। ନୀଳାଦ୍ରି ବିଜେ ପୂର୍ବରୁ ଚାରମାଳ ଉପରେ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ଅନନ୍ୟ ଭେଟ ନୀତି ସଂପନ୍ନ ହୋଇଥିଲା।

ପରମ୍ପରା କ୍ରମେ, ଜୟବିଜୟ ଦ୍ୱାର ନିକଟରେ ବଚନିକା ପରେ କାଳିଆସାଆନ୍ତ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ଗଇଁଠାଲ ଫିଟା ନୀତି ମଧ୍ୟ ଅନୁଷ୍ଠିତ ହୋଇଛି। ଭିତରଛ ମହାପାତ୍ର ବନ୍ଦାପନା ନୀତି କରିବା ସହ ନିଜେ ଶୁଦ୍ଧ ଘିଅ ଓ ଛେନା ଦ୍ୱାରା ପ୍ରସ୍ତୃତ ରସଗୋଲାକୁ ଭୋଗ କରିଥାନ୍ତି।

ରଥାରୂଢ ଚତୁର୍ଦ୍ଧାମୂରତୀଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯାଇଛି। ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭ୍ରଦ ପୁଣି ଭଉଣୀ ସୁଭ୍ରଦାଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ଏହାପରେ କାଳିଆସାଆନ୍ତଙ୍କୁ ପହଣ୍ଡି କରାଯାଇ ରତ୍ନସିଂହାସନକୁ ନିଆଯାଇଛି।

ଆସନ୍ତା କାଲି ଚନ୍ଦ୍ରଗ୍ରହଣ ଥିବାରୁ ଦ୍ୱିପହର ଧୂପ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ପାକତ୍ୟାଗ ପୂର୍ବରୁ ପ୍ରାୟ ୪ଟା ଭିତରେ କରିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେବାୟତଙ୍କ ସହ ସମନ୍ୱୟ ରଖାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ।

You might also like