SCBରେ ବିରଳ ଅସ୍ତ୍ରୋପଚାର, କଟାହାତକୁ ଯୋଡ଼ିଦେଲେ ଡାକ୍ତର

ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଯୋଡାଗଲା କଟାହାତ। ଦୁଇ ସପ୍ତାହରେ ଦୁଇଜଣ ବ୍ୟକ୍ତିଙ୍କର କଟା ହାତ ଯୋଡାଯାଇଛି। ଶରୀରରୁ ସଂପୂର୍ଣ୍ଣ ଅଲଗା ହେବାର ମାତ୍ର କେଇ ଘଣ୍ଟା ଭିତରେ ମେଡିକାଲରେ ପହଞ୍ଚିବା ଯୋଗୁ ଅସ୍ତ୍ରୋପଚାର ସଫଳ ହୋଇଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ଉଭୟ ବ୍ୟକ୍ତିଙ୍କ ହାତ ଧୀରେ ଧୀରେ କାମ କରୁଥିବାବେଳେ ଆଉ କିଛିଦିନ ଭିତରେ ସଂପୂର୍ଣ୍ଣ ଠିକ୍ ହୋଇଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଗତ ୨୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ମନୋଜ ମଲ୍ଲିକ ଆକ୍ରମଣର ଶିକାର ହୋଇ ନିଜ ବାମ ହାତ ହରାଇ ମେଡିକାଲ ଆସିଥିଲେ। ସେହିଭଳି ୨୯ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ଦେବୀ ପ୍ରସାଦ ସ୍ୱାଇଁ ଜମି ବିବାଦରୁ ଆକ୍ରମଣର ଶିକାର ହୋଇ ନିଜର ବାମ ହାତ ହରାଇଥିଲେ। ତେବେ ଉଭୟ ନିଜ ନିଜର କଟା ହାତକୁ ସୁରକ୍ଷିତ ଭାବେ ମେଡିକାଲ ଆଣିବାପରେ ଡାକ୍ତରୀ ଟିମ୍ ତୁରନ୍ତ ଅସ୍ତ୍ରୋପଚାର କରି ହାତ ଯୋଡିଥିଲେ।

ଏନେଇ ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି ଯେ ‘ହାତ ଥରେ ଶରୀରରୁ ଅଲଗା ହୋଇଗଲେ ରକ୍ତ ସଞ୍ଚାଳନ ହୁଏ ନାହିଁ ଓ ହାତର ଟିସ୍ୟୁକୁ ଅକ୍ସିଜେନ ଯାଏ ନାହିଁ। ସେପରି କ୍ଷେତ୍ରରେ ୬ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିପାରିବ। ଯଦି ସେହି ସମୟ ମଧ୍ୟରେ ଯଦି ଅଲଗା ହୋଇଥିବା କଟା ହାତରେ ରକ୍ତ ସଞ୍ଚାଳନ ହୋଇପାରିଲା, ତାହା ହେଲେ ହାତଟି ବଞ୍ଚିପାରିବ।’

ସେ ଆହୁରି କହିଛନ୍ତି ଯେ, ‘ଏହାର ଅର୍ଥ ହେଲା, ୪-୬ ଘଣ୍ଟା ମଧ୍ୟରେ ପହଞ୍ଚିଲେ କଟା ହାତଟି ପୁଣି ଯୋଡ଼ାଯାଇ ପାରିବ। ୨ ସପ୍ତାହ ମଧ୍ୟରେ ୨ଟି ଅପରେସନ୍ କରାଯାଇଥିଲା, ଏବେ ୨ଜଣ ଯାକ ସୁସ୍ଥ ଅଛନ୍ତି ଓ ହାତ ମଧ୍ୟ ଧିରେ ଧିରେ କାମ କରିବାକୁ ଆରମ୍ଭ କଲାଣି।’

You might also like