କରୋନା ପରୀକ୍ଷଣରେ ନୂଆ ମୋଡ଼ ଆଣିବ ରାପିଡ୍ ଟେଷ୍ଟ୍

ଭୁବନେଶ୍ୱର: ରାଜ୍ୟର କରୋନା ପରୀକ୍ଷଣରେ ନୂଆ ମୋଡ଼ ଆଣିବ ରାପିଡ୍ ଟେଷ୍ଟ୍। ରାଜ୍ୟରେ ପ୍ରାୟ ୨ ଲକ୍ଷ ଲୋକଙ୍କ ଆଣ୍ଟିବଡି ବେସ୍ଡ ରାପିଡ ଟେଷ୍ଟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ DMET ସିବିକେ ମହାନ୍ତି କହିଛନ୍ତି।

ଡିଏମ୍ଇଟି କହିଛନ୍ତି ଯେ, ଲକ୍‌ଡାଉନ ପୂର୍ବରୁ ଓଡ଼ିଶାକୁ ବାହାର ରାଜ୍ୟରୁ ବହୁ ଲୋକ ଫେରିଛନ୍ତି ଏବଂ ଲକ୍‌ଡାଉନ ଉଠିବା ପରେ ଲକ୍ଷାଧିକ ଲୋକ ଫେରିବାର ସମ୍ଭାବନା ରହିଛି।  ତେଣୁ ଏତେ ଲୋକଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରଖିବା ସମ୍ଭବ ନୁହେଁ। ଲୋକଙ୍କୁ କ୍ୱାରେଣ୍ଟିନରେ ରଖିଲେ ସେମାନେ ମାନସିକ ଚାପରେ ରହୁଥିବା, ଏପରିକି ଗୋଟିଏ ସ୍ଥାନରୁ ଆତ୍ମହତ୍ୟା ଉଦ୍ୟମ ଭଳି ଖବର ମଧ୍ୟ ଆସିଛି।

ତେଣୁ ସାଧାରଣ ଟେଷ୍ଟ ପଦ୍ଧତିରେ ଅଧିକ ସମୟ ଲାଗୁଥିବାରୁ, ସେମାନଙ୍କ ରାପିଡ୍ ଟେଷ୍ଟ କରି ରିପୋର୍ଟ ନେଗେଟିଭ ଆସୁଥିବା ଲୋକଙ୍କୁ ଛାଡ଼ିଦିଆଯିବ ଏବଂ ରିପୋର୍ଟ ପଜିଟିଭ ଆସୁଥିବା ଲୋକଙ୍କ ନମୁନାକୁ ଆଉ ଥରେ ପରୀକ୍ଷା କରି ସେ ଆକ୍ରାନ୍ତ କି ନାହିଁ ସୁନିଶ୍ଚିତ କରାଯିବ।

ଏହା ଫଳରେ ଉଭୟ ସାଧାରଣ ଲୋକ ଓ ସରକାରଙ୍କ ଉପରୁ ଚାପ କମିବ ବୋଲି ଆଶା ରଖାଯାଇଛି। ରାପିଡ୍ ଟେଷ୍ଟ ଆପଣାଇ ପ୍ରାୟ ୨ ଲକ୍ଷ ଲୋକଙ୍କ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖିବାରେ ଓଡ଼ିଶା ସମ୍ଭବତଃ ଦେଶର ପ୍ରଥମ ରାଜ୍ୟ ବୋଲି ସେ କହିଛନ୍ତି।

You might also like