ନାମୀଦାମୀ ବ୍ରାଣ୍ଡ୍‌ ନାଁରେ ବିକ୍ରି ହେଉଛି ବିଷ

ଭୁବନେଶ୍ୱର : ମାରାତ୍ମକ ଅପମିଶ୍ରିତ ଖାଦ୍ୟ କବଳରେ ସାଧାରଣ ଖାଉଟି। ଗଲା କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଅପମିଶ୍ରଣ ବା ଡୁପ୍ଲିକେଟ୍ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢ଼ଉ ପରେ ଏ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପଟେ ଖାଦ୍ୟ ନାଁରେ ବିଷ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀ ମୁନାଫା କମାଉଥିବା ବେଳେ ସେପଟେ ଏହାକୁ କିଣି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି ସାଧାରଣ ଲୋକେ।

୩ ସେପ୍ଟେମ୍ବର ୨୦୧୯, ରାଜଧାନୀର ଲକ୍ଷ୍ମୀ ସାଗର,୨୮ ଅଗଷ୍ଟ, କଟକ ବମ୍ଫକୁଦ, ୨୬ ଜୁନ୍ ୨୦୧୮, କଟକ ବାଦାମବାଡ଼ି। ଗଲା କିଛି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେଧଡ଼କ ଚାଲିଥିବା ବଡ଼ ଧରଣର ନକଲି ଖାଦ୍ୟ ସାମଗ୍ରୀ ବ୍ୟବସାୟର ପର୍ଦ୍ଦାଫାସ ପରେ ଆତଙ୍କରେ ସାଧାରଣ ଖାଉଟି।

ଚକାଚକ୍ ପ୍ୟାକିଂ, ନାମୀ ବ୍ରାଣ୍ଡ୍ ଆଉ ଅସଲିର ଭ୍ରମ ସୃଷ୍ଟି କରୁଥିବା ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ। ଆଉ ଏପଟେ ଟଙ୍କା ଦେଇ ଅପମିଶ୍ରିତ ବିଷାକ୍ତ ଖାଦ୍ୟ ସାମଗ୍ରୀ କିଣି ଅସୁବିଧାରେ ପଡୁଛନ୍ତି ଗ୍ରାହକ। ଗଲା କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଠାବ ହୋଇଛି ଏଭଳି ବଡ଼ ବଡ଼ ଡୁପ୍ଲିକେଟ୍ କାରବାରର ନେଟଓ୍ୱର୍କ।

ଦିନକୁ ଦିନ ବଢ଼ି ଚାଲିଥିବା ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ବଜାର ଖାଲି ଗ୍ରାହକଙ୍କୁ ନୁହେ ବରଂ ଅସଲି ବ୍ୟବସାୟୀଙ୍କୁ ବି ନାକେଦମ୍ କଲାଣି। ତେବେ ଏହା ପଛରେ ସରକାରୀ ଆଇନ କାନୁନ୍‌ର କୋହଳତାକୁ ଦାୟୀ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ସେପଟେ ରାଜ୍ୟର ପ୍ରମୁଖ ସହରରେ କେବଳ ତେଲ, ଘିଅ, ସସ୍ ସାମଗ୍ରୀ ଅପମିଶ୍ରଣ ଘଟଣା ପଦାକୁ ଆସୁଥିଲେ ମଧ୍ୟ କଳା କାରବାରର ଆହୁରି ଅନେକ ଦିଗ ସାମ୍ନାକୁ ଆସି ପାରୁନଥିବା ଚର୍ଚ୍ଚା ହେଉଛି। ଏପରିକି ଔଷଧ, ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଅଟୋ ପାର୍ଟସ୍ କ୍ଷେତ୍ରରେ ଡୁପ୍ଲିକେଟ୍ ମାର୍କେଟର ବଡ଼ ଭାଗୀଦାରି ଥିବା ଏବଂ ଦେଶରେ ପ୍ରାୟ ୧ ଲକ୍ଷ ୫ ହଜାର କୋଟିର ନକଲି କାରାବାର ଚାଲିଥିବା ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଣେ ଅପମିଶ୍ରମିତ ଖାଦ୍ୟ ପ୍ରଭାବ ମଣିଷ ଶରୀର ପାଇଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

You might also like