ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କର ଦେହାନ୍ତ

ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କର ୬୨ବର୍ଷରେ ହୃଦଘାତରେ ଦେହାନ୍ତ ହୋଇଛି

ପୁରୀ: ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କର ୬୨ବର୍ଷରେ ହୃଦଘାତରେ ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତେବେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା। ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ମିଳିଥିବା ସୂଚନା ଅନୁସାରେ, ଏମ୍ସକୁ ସ୍ଥାନାନ୍ତର ସମୟରେ ଅଧା ରାସ୍ତାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାମଚନ୍ଦ୍ର।

ରାମଚନ୍ଦ୍ରଙ୍କ ମୃତ୍ୟୁରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଭୀର ଶୋକପ୍ରକାଶ କରିଛନ୍ତି। ତେବେ ରାମଚନ୍ଦ୍ର ବନାଟି ଖେଳକୁ ଓଡିଶା ତଥା ଭାରତବର୍ଷରେ ପ୍ରଖ୍ୟାତ କରିବାରେ ସକ୍ଷମ ହୋଇଥିଲେ। ରାମଚନ୍ଦ୍ର ତାଙ୍କ ଜୀବନ ସାରା ବନାଟିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବା ସହ ସେ ଜିଲ୍ଲା ପ୍ରଶାସନର ସମସ୍ତ ଉତ୍ସବରେ ବନାଟି ଖେଳ ପ୍ରଦର୍ଶନ କରନ୍ତି ।ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ସମୟରେ ବନାଟି ପ୍ରଦର୍ଶନ କରାଯାଇଥାଏ।

ରଥଯାତ୍ରା, ବାହୁଡା, ନୀଳାଦ୍ରି ବିଜେ, ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉମାନଙ୍କ ପହଣ୍ଡି ଯାତ୍ରା ଆଗେ ଆଗେ ସବୁ ବେଳେ ଆଖି ତରାଟୀ ଦେଲା ଭଳି ବନାଟି ଖେଳ ହୋଇଥାଏ । ପୁରାଣ ଯୁଗରେ ଶ୍ରୀଜୀଉମାନଙ୍କ ପହଣ୍ଡି ଓ ରଥଟଣା ବିଳମ୍ବିତ ହେଲେ ସନ୍ଧ୍ୟାରେ ମାର୍ଗ ଦର୍ଶନ ପାଇଁ ଅଗ୍ନି ବନାଟିର ବ୍ୟବହାର କରାଯାଉଥିଲା । ଛୋଟରୁ ବଡ ଏପରିକି ମହିଳାମାନେ ପ୍ରଦର୍ଶନ କରୁଥିବା ଏହି ଦୁଃସାହସିକ ବନାଟିର ଦୁଇ ପାର୍ଶ୍ବ କୁଣ୍ଡା ଓ କନାରେ ପ୍ରସ୍ତୁତ । ଏହି ଦୁଇ ପାର୍ଶ୍ବରେ ଅଗ୍ନୀ ସଂଯୋଗ କରି ଏହାକୁ ବୁଲାଇଲେ ଅନ୍ଧକାର ଦୂର ହୋଇଥାଏ । ଯଦିଓ ଏବେ ରଥଟଣା ପାଇଁ ଅଗ୍ନୀ ବନାଟିର ଆବଶ୍ୟକତା ପଡୁନି ତଥାପି ଏହା ଏକ ପରମ୍ପରା ଭାବେ ଚାଲିଆସୁଛି । ତେବେ ନୀଳାଦ୍ରି ବିଜେ ସମୟରେ ଅଗ୍ନି ବନାଟିର ପ୍ରଦର୍ଶନ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ପାଖାପାଖି୧୦୦ କଳାକାର ଏହି ଖେଳ ଦେଖାଉଛନ୍ତି।

You might also like