ସେବା ଆଗରେ ହାର ମାନିଲା କ୍ୟାନ୍‌ସର, କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ରମା ଦିଦି

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି ଦିଦି। ଘରକୁ ଘର ବୁଲି ଲୋକଙ୍କୁ କରୋନା ପ୍ରତିଷେଧକ କଥାକୁ ବୁଝାଉଛନ୍ତି। କିନ୍ତୁ ଏମିତି ଜଣେ ଦିଦି ଯିଏ ନିଜର ସ୍ୱାସ୍ଥ୍ୟ କଥା ଭୁଲି କରୋନାକୁ ମାତ୍ ଦେବା ପାଇଁ ଘରକୁ ଘରକୁ ବୁଲି ଲୋକଙ୍କୁ ବୁଝାଉଛନ୍ତି। ଏପରିକି ନିଜେ କ୍ୟାନସରରେ ଆକ୍ରାନ୍ତ ହୋଇ ବି ହାର ମାନିନାହାନ୍ତି।

କରୋନା କିଭଳି ତାଙ୍କ ଅଞ୍ଚଳରେ ନ ବ୍ୟାପିବ, ସେଥିପାଇଁ ପରିଶ୍ରମ କରି ଆଜି ସାରା ରାଜ୍ୟରେ ପ୍ରଶଂସିତ ହୋଇପାରିଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁସ୍ଥିତ ଖଣ୍ଡରା ଗ୍ରାମର ଅଙ୍ଗନବାଡ଼ି ଦିଦି ରମା ସାହୁ। ଘର ଘର ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରାଉଛନ୍ତି।

ଏନେ ସେ କହିଛନ୍ତି, ‘ ମୁଁ ଦୀର୍ଘ ୬ ବର୍ଷ ହେଲାଣି କର୍କଟ ରୋଗରେ ପୀଡ଼ିତ କିନ୍ତୁ ଏଥିରେ ମୁଁ ଚିନ୍ତିତ ନ ହୋଇ ସୂଚାରୁରୂପେ କାର୍ଯ୍ୟ କରିବାକୁ ଚେଷ୍ଟା କରେ। ଘରକୁ ଘର ବୁଲି ସର୍ଭେ କରିବାକୁ ପଡେ। ମୁଁ ଘର ଘର ବୁଲି ଲୋକଙ୍କୁ ହାତ ଧୋଇବା ପ୍ରଣାଳୀ, ମାସ୍କ ପିନ୍ଧିବା ଉପରେ ବୁଝାଇଥାଏ। ଘରୁ ବାହାରକୁ ଗଲେ ଓ ଆସିଲେ କେଉଁ ସବୁ ସତର୍କତାମୂଳକ ପଦକ୍ଷେପ ନେବେ, ସେ ବିଷୟରେ ଲୋକମାନଙ୍କ ଅବଗତ କରାଇଥାଏ। ଶିଶୁମାନଙ୍କ ଖାଦ୍ୟ ଅଣ୍ଡା, ଛତୁଆ ଆଦି ଘରକୁ ଯାଇ ଦେଇଥାଏ। ପିଡିଏସ୍ ଚାଉଳ ଓ ମଧୁବାବୁ ପେନ୍‌ସନ୍ ମଧ୍ୟ ଉପଭୋକ୍ତାଙ୍କୁ ଦେବାକୁ ପଡେ। ମୋର କେହି ସନ୍ତାନ ନଥିଲେ ବି ଯେଉଁ ଛୋଟ ପିଲାଙ୍କ ପାଇଁ ମୁଁ କାମ କରୁଛି ସେମାନଙ୍କୁ ମୋ ପିଲା ପରି ହିଁ ସେବା କରିଥାଏ। ଏହି କାମ ଆଗକୁ ବି ଜାରି ରହିବ। ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଏମିତି କାମ କରି ଚାଲିଥିବି।’

ଏଥିସହ ସ୍ୱାସ୍ଥ୍ୟ ସ୍ଥିତିର ସର୍ଭେ କରୁଛନ୍ତି। ତାଙ୍କ କାର୍ଯ୍ୟ ପ୍ରତି ଦାୟିତ୍ୱ ମନୋଭାବକୁ ନେଇ ପୁରସ୍କୃତ କରାଯିବ ବୋଲି କୋଭିଡ ରାଜ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିବା ପରେ ଖଣ୍ଡରା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।

You might also like