ରାଜ୍ୟସଭା ଆସନ ଗଣିତ; ବିଜେପି ବିଜେଡିର ଭିତିରିଆ ଡିଲ୍‌ କହିଲା କଂଗ୍ରେସ୍

ଭୁବନେଶ୍ୱର: ଖାଲି ହେବାକୁ ଯାଉଥିବା ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ  କଣ ହେବ ଗଣିତ? ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଅନାୟସରେ ହାସଲ କରୁଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣାଓଟରା ହେବାର ସମ୍ଭାବନା ରହିଛି।

ଏଣେ ପୂର୍ବ ନିର୍ବାଚନରେ ଅଶ୍ୱିନ ବୈଷ୍ଣବଙ୍କ ଭଳି ଏଥର ବି ବିଜେପିକୁ ଗୋଟିଏ ଆସନ ବିଜେଡି ଛାଡ଼ି ଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି।

କଂଗ୍ରେସ କିନ୍ତୁ ଅଭିଯୋଗ କରିଛି, ବିଜପି ଏଠାରୁ ୨ଟି ସିଟ୍ ଉପରେ ଆଖି ରଖିଛି। ଖାସ୍ ସେଥିପାଇଁ ସରକାରୀ କାର୍ଯ୍ୟକ୍ରମ ବାହାନାରେ ଖୋଦ୍ ଅମିତ୍ ଶାହ ଓଡ଼ିଶା ଆସୁଛନ୍ତି। ଉଭୟ ବିଜେଡି ଓ ବିଜେପି ଏହାର ଜବାବ ରଖିଛନ୍ତି।

ସାଙ୍ଗଠନିକ ନିର୍ବାଚନ ପାଇଁ ଚଳଚଂଚଳ ବିଜେଡି କାର୍ଯ୍ୟାଳୟ। ଦଳୀୟ ଅଫିସ୍‌ରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି। ଏସବୁ ଭିତରେ କିନ୍ତୁ ଚର୍ଚ୍ଚା ଖାଲି ହେଉଥିବା ୪ ରାଜ୍ୟସଭା ସିଟ୍‌କୁ ନେଇ କାହାକୁ ସଂସଦକୁ ପଠାଇବେ ନବୀନ? କିଏ ରହିଛି ସୁପ୍ରିମୋଙ୍କ ଗୁଡ୍‌ ବୁକ୍‌ରେ? ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ୩ଟି ଆସନ ବିଜେଡି ଆରାମ୍‌ରେ ହାତେଇବ। ସରୋଜିନୀ ହେମ୍ବ୍ରମଙ୍କୁ ଟର୍ମ ସରୁଥିବାରୁ ଜଣେ ମହିଳାଙ୍କୁ ଦଳ ପ୍ରାର୍ଥୀ କରିପାରେ।

ସେହିପର ପଛୁଆ ବର୍ଗଙ୍କ ଉପରେ ଦଳର ଫୋକସ୍ ଥିବାରୁ ଏହି ବର୍ଗରୁ ଜଣେ ରାଜ୍ୟସଭାକୁ ଯାଇପାରନ୍ତି।  କିନ୍ତୁ ସବୁ ଅଡୁଆ ଚତୁର୍ଥ ଆସନକୁ ପାଇଁ। ଏଥିପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ଟଣାଓଟରା ସ୍ଥିତି ଉପୁଜିପାରେ।

ଏଭଳି କ୍ଷେତ୍ରରେ ୯ ବିଧାୟକ ଥିବା କଂଗ୍ରେସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି କଂଗ୍ରେସ୍ ରାଜ୍ୟସଭା ନିର୍ବାଚନରେ ଭାଗ ନନିଏ ତାହା ବିଜେଡିକୁ ସୁହାଇବ। କଂଗ୍ରେସ୍ ବି କହିଛି ରାଜ୍ୟସଭା ପାଇଁ ଦଳ ପାଖରେ ଶକ୍ତି ନାହିଁ। ତେଣୁ ସେ ସଂପର୍କରେ ବିଶେଷ ଆଲୋଚନା ହୋଇନାହିଁ। ଏଣେ ବିଜେପି କହିଛି, ଏ ସଂପର୍କରେ ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ।

ସେପଟେ ଆସନ୍ତା ୨୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ତେଜିଛି ରାଜନୀତି। ୨୮ରେ ଶାହ ଭୁବନେଶ୍ୱରରେ ସିଏଏ ସମର୍ଥନରେ ଏକ ବିଶାଳ ସଭାକୁ ସମ୍ବୋଧନ କରିବେ। କଂଗ୍ରେସ୍ କିନ୍ତୁ ଏହି ଗସ୍ତ ପଛରେ ବାରିଛି ରାଜ୍ୟସଭା ଡିଲ୍‌ର ଗନ୍ଧ। ଦୁଇଟି ରାଜ୍ୟସଭା ଆସନ ନେବା ସହିତ ବିଧାନ ପରିଷଦ ସଂପର୍କରେ ନବୀନଙ୍କ ସହ ଆଲୋଚନା ପାଇଁ ଶାହ ଆସୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ ବିଜେଡି।

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସିଏଏ ସପକ୍ଷବାଦୀ ମତକୁ ପ୍ରତିଫଳିତ କରିବା ପାଇଁ ଏହି ସମାବେଶର ଆୟୋଜନ କରାଯାଇଛି। ଏଥିରେ କଂଗ୍ରେସକୁ କେଉଁଠି କଣ୍ଟା ଲାଗୁଛି, ସେ କଥାରୁ ଉତ୍ତର କଂଗ୍ରେସ ଦେବ। ଅନ୍ୟପଟେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି କଂଗ୍ରେସକ ଜ୍ୟେତିଷଗଣନା କରୁଛନ୍ତି ବୋଧେ। ସ୍ୱରାଷ୍ଟ୍ରମନ୍ତ୍ରୀ ଆସୁଛନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନ କରିବେ। ଶାହ ଯଦି କଂଗ୍ରେସକୁ ଖବର ଦେଇଥିବେ ତେବେ ତାଙ୍କର କିଛି କହିବାର ନାହିଁ ବୋଲି କହିଛନ୍ତି ଦେବୀ ମିଶ୍ର।

ତେବେ ଏସବୁ ଛକାପଞ୍ଝା ଭିତରେ ରାଜ୍ୟସଭା ନିର୍ବାଚନରେ ପରେ ବିଜେଡି-ବିଜେପି ସଂପର୍କ ନେଇ ଦୁଇଦଳର ଆଭିମୁଖ୍ୟ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି।

You might also like