ନବୀନଙ୍କ ସମର୍ଥନ ପାଇଁ ଜାତୀୟ ରାଜନୀତିରେ ଟଣାଓଟରା
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ
ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ହୋଇପାରେ ଗେମ୍ ଚେଞ୍ଜର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅାଣିପାରେ ନିର୍ଣ୍ଣାୟକ ମୋଡ଼। ତେଣୁ ନବୀନଙ୍କୁ ନେଇ ଜାତୀୟ ରାଜନୀତିରେ ଚାଲିଛି ଟଣାଓଟରା।
ଏନିଡିଏ ବନାମ୍ ବିରୋଧୀ। ହରିବଂଶ ନରାୟଣ ସିଂ ଭରସେସ୍ ବନ୍ଦନା ଚଭନ୍। ଜେଡିୟୁ ପ୍ରାର୍ଥୀ ହରିବଂଶ ଓ ସମ୍ଭାବ୍ୟ ବିରୋଧୀ ପ୍ରାର୍ଥୀ ବନ୍ଦନାଙ୍କ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହୋଇପାରେ ଟକ୍କର। ଏସବୁ ଭିତରେ କିନ୍ତୁ ଅଧିକ ଚର୍ଚ୍ଚାରେ ରହିଛି ବିଜେଡିର ଅାଭିମୁଖ୍ୟ। ଦଳ କାହାକୁ ସମର୍ଥନ କରିବ? ନା ନିର୍ବାଚନ ବେଳେ ଅନୁପସ୍ଥିତ ରହିବ?
କାହା ପାଖରେ ବି ମ୍ୟାଜିକ୍ ନମ୍ବର ନଥିବାରୁ ବିଜେଡି ଏହି ନିର୍ବାଚନରେ ଗେମ୍ ଚେଞ୍ଜର ଭୂମିକା ନିର୍ବାହ କରିପାରେ। ଅାଉ ସେଥିପାଇଁ ବିଜେଡିର ସମର୍ଥନ ଯୋଗାଡ଼ କରିବାକୁ ଅାରମ୍ଭ ହୋଇଯାଇଛି ଟଣାଓଟରା। ଉଭୟ ଏନଡିଏ ଓ ବିରୋଧୀ କ୍ୟାମ୍ପ୍ ନବୀନଙ୍କୁ ସମର୍ଥନ ମାଗିଛନ୍ତି।
ହରିବଂଶଙ୍କୁ ସମର୍ଥନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ନବୀନଙ୍କୁ ଅନୁରୋଧ କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନବୀନଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ସେପଟେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ନବୀନଙ୍କୁ ଅନୁରୋଧ କରିଛନ୍ତି। ଏନସିପି ମୁଖ୍ୟ ଶରଦ ପାଓ୍ୱାର ବିଜେଡି ନିଜ କାର୍ଡ ଖୋଲି ନଥିବା ବେଳେ ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେହେତୁ ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ପିଏ ସାଙ୍ଗାମାକୁ ଜେଡିୟୁ ସମର୍ଥନ କରିଥିଲା, ତାକୁ ଦୃଷ୍ଟିରେ ରଖି ଅାସନ୍ତାକାଲି ଦଳ ନିଷ୍ପତ୍ତି ନେବ। ଅପରାହ୍ଣରେ କିନ୍ତୁ ସସ୍ମିତ ନିଜ ପୂର୍ବ ମନ୍ତବ୍ୟର ସଂଶୋଧନ କରି କହିଥିଲେ, ଜେଡିୟୁ ସାଙ୍ଗାମାଙ୍କୁ ସମର୍ଥନ କରିନଥିଲା।
ବିଜେଡିର ଏଭଳି ମନ୍ତବ୍ୟ ପରେ କଂଗ୍ରେସ କହିଛି ବିଜେଡି, ଏନଡିଏ ଅାଡକୁ ଯାଉଛି। ବିଜେପି କହିଛି, ହରିବଂଶ ନିର୍ବିବାଦୀୟ ଚେହେରା ହୋଇଥିବାରୁ ବିଜେଡି ତାଙ୍କୁ ସମର୍ଥନ କରିବା ଉଚିତ୍। ବିଜେଡିର ଅାଜିର ମନ୍ତବ୍ୟ ଏବଂ କିଛିଦିନ ତଳେ ଅନାସ୍ଥା ପ୍ରସ୍ତାବ ବେଳେ ଲୋକସଭାରୁ ଦଳର କକ୍ଷତ୍ୟାଗ ଏନ୍ଡିଏକୁ ସୁହାଇଥିଲା। ପ୍ରଶ୍ନ ଉଠୁଛି, ବିଜେଡି ଧିରେ ଧିରେ ଏନ୍ଡିଏ ଅାଡେ ଢଳୁଛି କି? ନିଜ ସମଦୂରତା ନିଷ୍ପତ୍ତିରେ ଦଳ କାଏମ୍ ରହିବ ନା ଅାଗକୁ ଏଥିରେ ପରିବର୍ତ୍ତନ କରିବ?
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉଭୟ ଏନ୍ଡିଏ ଓ ଯୁପିଏ ପାଇଁ ଏସିଡ୍ ଟେଷ୍ଟ ହେବ। ୨୪୫ ଅାସନ ବିଶିଷ୍ଟ ରାଜ୍ୟସଭାରେ ଉଭୟ କାହା ପାଖରେ ମ୍ୟାଜିକ୍ ସଂଖ୍ୟା ୧୨୫ ଛୁଇଁବା ଭଳି ସ୍ଥିତି ନାହିଁ। ବିଜେପିର ୬୯ ସାଂସଦଙ୍କ ସହ ଏନଡିଏର ସଂଖ୍ୟା ରହିଛି ୧୧୫। ସେଭଳି କଂଗ୍ରେସର ୫୦ ସାଂସଦଙ୍କ ସହ ୧୧୩ ଯୁପିଏର ସଂଖ୍ୟା ରହିଛି।