• translate
Prangyan Parimita

ପୁରୀ : ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି । ଆଜି ସକାଳ ଧୂପ  ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ ଦଇତାପତି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁସ୍ଥତାର ଖବର ଗଜପତିଙ୍କୁ ପ୍ରଦାନ କରାଯିବ ସେବାୟତ   । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ପାଟ ଡୋର, ଚନ୍ଦନ, କରାଳ ଚନ୍ଦନ ରୁପାଥାଳିରେ ଧରି ପାଟ ପଟୁଆରରେ ଦଇତାପତି ମାନେ ଧରି ଶ୍ରୀନଅରରେ ପହଞ୍ଚି ଗଜପତିଙ୍କୁ ପ୍ରଦାନ କରିବାର ବିଧି ରହିଛି ।

ସେପଟେ  ଗତକାଲି ଏକାଦଶୀରେ ଶ୍ରୀଜିଉଙ୍କ ଖଳି ଲାଗି ନୀତି ଅନୁଷ୍ଠିତ ହୋଇଥିଲା ।  ଶ୍ରୀମନ୍ଦିରରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଲାଗି ହୋଇଥିଲା ଦଶମୂଳ ମୋଦକ ।  ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଲାଗି ପରେ ଜ୍ୱରରୁ ସୁସ୍ଥ ଅନୁଭବ କରିଛନ୍ତି ମହାପ୍ରଭୁ । ଏହି ଗୁପ୍ତ ନୀତି ଦଇତାପତି ସେବକ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା ।

ସେପଟେ ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ ।  ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ଶ୍ରୀ ବଳଭଦ୍ରଙ୍କର ଦୁଇଟି ଶ୍ରୀଭୂଜ ମରାମତି କରାଯିବ । ଶ୍ରୀଭୂଜର ଖଡୁ ବା ବଳା ଓ ପାପୁଲି, ଆଙ୍ଗୁଠିର ମରାମତି କରାଯିବ । ସୁନାରଆ ଏହାର ମହାମତି କରାଯିବ ।ମରାମତି ପରେ ମହାପ୍ରଭୁ ସୁନାବେଶ ବା ରାଜାଧିରାଜ ବେଶରେ ବିଭୂଷିତ ହେବେ ।  ଏଥିପାଇଁ ୧୨୦୦ ଗ୍ରାମର ସୁନାର ଆବଶ୍ୟକତା ରହିଛି । SBI ବ୍ୟାଙ୍କରେ ଥିବା ସୁନାକୁ ଅଣାଯାଇ ବିଧି ମୁତାବକ ବିଶୁଦ୍ଧ କରାଯାଇ ମରାମତି କାର୍ଯ୍ୟରେ ଲଗାଯିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଏକ ବେସରକାରୀ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ୪ ଜଣ ଅଭିଜ୍ଞ କାରିଗରଙ୍କ ଦ୍ୱାରା ଏହି ମରାମତି କରାଯିବ ।

ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଅନୁମାନ କରାଯାଉଛି କି ସୁନା ବେଶରେ ବ୍ୟବହୃତ ହେବାକୁ ଥିବା କିଛି ସୁନା ଅଳଙ୍କାର ବି ମରାମତି ହୋଇପାରେ । ଆଗକୁ ରଥଯାତ୍ରା ଓ ପରେ ମହାପ୍ରଭୁଙ୍କ ସୁନା ବେଶ ହେବ । ରାଜରାଜେଶ୍ୱର ବେଶ ପୂର୍ବରୁ ଏହି ମରାମତି କାମ ସରିବ ।

Other Stories