ରାଇପୁର ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ବସ୍‌ ଗତକାଲି ବିଳମ୍ବିତ ରାତି ସାଢ଼େ ୩ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତରଙ୍କୁ ରାଇପୁର ମେଡିକାଲ କଲେଜ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।‌ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଆସିକା ଓ ଭଞ୍ଜନଗର ଅଞ୍ଚଳର ଶ୍ରମିକ ରହିଛନ୍ତି। ବସ୍‌ଟି ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବେଳେ ରାଇପୁର ଚେରିଖେଡ଼ି ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ତୁରନ୍ତ ରାଇପୁର ଯିବାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ପଦ୍ମପୁର SDPOଙ୍କ ନେତୃତ୍ୱରେ ଏକ ଟିମ୍ ରାଇପୁର ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ। ବସ୍‌ରେ ଥିବା ବାକି ୫୯ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଅଛନ୍ତି ବୋଲି DGP ଅଭୟ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଦୁର୍ଘଟଣା ପରେ ମୃତକଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

You might also like