କମିଛି ବର୍ଷା ; ଛାଡ଼ି ଯାଇଛି ଅସରନ୍ତି ଦୁଃଖ ,ଦୁର୍ଦ୍ଦଶା

ଭୁବନେଶ୍ୱର :  ଦୁଇ ଦିନର ଲଗାଣ ବର୍ଷା ଯେ କେବଳ ଅସରନ୍ତି ଦୁର୍ଦ୍ଦଶା ଦେଇଛି ତା ନୁହେଁ ଅକାଳରେ ବି ନେଇଛି ଅନେକଙ୍କ ଜୀବନ। କେନ୍ଦ୍ରାପଡ଼ା ଗଣେଶ୍ୱରପୁରରେ କାନ୍ଥ ଭୁଶୁଡ଼ି ପ୍ରାଣ ହରାଇଛନ୍ତି ନୂଆସାହିର କୈଳାଶ ସାମଲ। ତାଙ୍କ ପତ୍ନୀ ବି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଘରେ ଶୋଇଥିବାବେଳେ ଉଭୟଙ୍କ ଉପରେ ପଡିଯାଇଥିଲା ବତୁରା କାନ୍ଥ ସାଙ୍ଗକୁ ଚାଳ। ଠିକ୍ ସେମିତି ଜଳେଶ୍ୱରରେ ବି ଘଟିଛି ଅଘଟଣ। ରାଇବଣିଆ ଥାନା ଭଦୁଆ ଗାଁରେ ହଠାତ୍ ବତୁରା କାନ୍ଥ ଭୁଶୁଡ଼ି ପଡିବାରୁ ଚାପି ହୋଇଯାଇଥିଲେ ବାପା, ମାଅ ଓ ଝିଅ।

ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଏବେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ଏକ ଘଟଣାକ୍ରମେ ମୟୂରଭଂଜ ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟାପାଳରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ କୁମ୍ଭାରପଡ଼ାରେ ଖୋଦ୍ କୁମ୍ଭକାର ନିଯୋଗର ସଂପାଦକ ରସାନନ୍ଦ ବିଶୋୟୀଙ୍କ ମଧ୍ୟ କାନ୍ଥ ଭୁଶୁଡ଼ି ପ୍ରାଣ ଯାଇଛି। ବାହାନଗା ବରଜଦେଉଳି ପ୍ରାଥମିକ ସ୍କୁଲର କାନ୍ଥ ଭୁଶୁଡ଼ିଛି। ହେଲେ ସ୍କୁଲ ଛୁଟି ଥିବାରୁ ଏକ ବଡ଼ ଧରଣର ଅଘଟଣରୁ ରକ୍ଷା ପାଇ ଯାଇଛନ୍ତି ଛାତ୍ରଛାତ୍ରୀ।

ଅବିଶ୍ରାନ୍ତ ଲଘୁଚାପ ବର୍ଷା ଯେ ଖାଲି ଜୀବନ ନେଇଛି ତା ନୁହେଁ ଛଡ଼ାଇ ନେଇଛି ଅନେକଙ୍କ ମୁହଁରୁ ଦାନା ସାଙ୍ଗକୁ ବେଉସା। ବାଲେଶ୍ୱର ରେମୁଣା ଅଞ୍ଚଳର ବର୍ଷା ପାଣିରେ ଭାସୁଛି ପରିବା କିଆରି। ଅମୃତଭଣ୍ଡା ଓ ବାଇଗଣ ଗଛ ସବୁ ପଚି ଯିବାରୁ ଅବେଳରେ ଏସବୁ ତୋଳି ନେବାକୁ ବାଧ୍ୟ ହୋଇଛି ଚାଷୀ।

ସେପଟେ କୋବି ଓ ଅନ୍ୟ ଶୀତ ଦିନିଆ ପରିବା ଚାଷ ସବୁ ପଚି ନଷ୍ଟ ହୋଇଯାଇଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି। ଆସ୍କା ଅଞ୍ଚଳରେ ଧାନ ଥୋଡ଼ ଧରିଥିବା ସମୟରେ କିଆରିରେ ଆଣ୍ଠୁଏ ଉଚ୍ଚର ପାଣି, ଦିନେ ଦୁଇ ଦିନ ଭିତରେ ନଷ୍ଟ ହେବା ନିଶ୍ଚିତ। ସାରା ଗଞ୍ଜାମ ଜିଲ୍ଲାରେ ହୋଇଛି ଏଭଳି ଦୁଃସ୍ଥିତି। ଏସଆରସି କହିଛନ୍ତି, ଖୁବ୍‌ଶୀଘ୍ର ଜିଲ୍ଲାପାଳମାନଙ୍କୁ ଫସଲ କ୍ଷତି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

ଯଦିଓ ବର୍ଷା କମିଛି, ହେଲେ ଏବେ ବି ହଟିନି ଜଳବନ୍ଦୀ ଦୁର୍ଦ୍ଦଶା। ବ୍ରହ୍ମପୁର ମହାନଗର ନିଗମର ଶାନ୍ତି ନଗର ଅଞ୍ଚଳ ହେଉ ବା ଭଦ୍ରକ ପୌରାଞ୍ଚଳର ୧୪ ନମ୍ବର ଓ୍ୱାର୍ଡ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାରେ ଅଛନ୍ତି। ଆଉ ଏ ସ୍ଥିତି ପିପିଲି ବଜାରର, ନିଷ୍କାସନ ହୋଇ ନପାରି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।

You might also like