ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ପନିପରିବା ଫସଲ ନଷ୍ଟ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁ ବାଲେଶ୍ୱରରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଗତ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ ଟମାଟୋ, ବାଇଗଣ, କଖାରୁ ଓ ଲଙ୍କା ଭଳି ବିଭିନ୍ନ ପନିପରିବା ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ ଆଣିଛନ୍ତି।

ଜିଲ୍ଲାର କସିମେଳା, ରେମୁଣା ଓ ବସ୍ତା ବ୍ଲକ୍‌ର ଭେଲୋରା, ପାଉଁଶକୁଲି ଆଦି ଅଞ୍ଚଳରେ ପନିପରିବା ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ତେବେ ଏନେଇ ତୁରନ୍ତ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ଚାଷୀ ଦାବି କରିଛନ୍ତି।

ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଜିଲ୍ଲାରେ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଉଦ୍ୟାନ ଓ କୃଷି ବିଭାଗ ସ୍ୱୀକାର କରିଛି। ତେବେ ଏନେଇ ବିଭାଗ ପାଖରେ କୌଣସି ଅଭିଯୋଗ ପହଞ୍ଚିନଥିବା ଅଧିକାରୀ କହିଛନ୍ତି।

ନିର୍ଦ୍ଦିଷ୍ଟ ଅଭିଯୋଗ ହେଲେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କହିଛନ୍ତି।

କେବଳ ପନିପରିବା ନୁହେଁ ତଳି ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଚାଷୀର ଚିନ୍ତା ବଢ଼ିଯାଇଛି।

You might also like