ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତାକାଲି ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ଏବଂ ୨୨ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ ସୂଚନା ଦେଇଛନ୍ତି।
ପାଣିପାଗ ଅପଡେଟ୍ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ‘ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ(ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା) ଜାରି କରାଯାଇଥିବା ବେଳେ ଆସନ୍ତାକାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି।
‘ଲଘୁଚାପ ବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିରେ ବର୍ଷାର ପରିମାଣ ଅଧିକ ରହିପାରେ ବୋଲି ଆଶା କରାଯାଉଛି। ମାଲକାନଗିରି, କୋରାପୁଟ,ବାଲେଶ୍ୱର,ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିପାରେ। ଆଜି ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ(ପ୍ରବଳ ବର୍ଷା) ଜାରି କରାଯାଇଥିବା ବେଳେ ଆସନ୍ତାକାଲି କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି’ ବୋଲି ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ‘୨୦,୨୧,୨୨ ତାରିଖ ୩ ଦିନ ଓଡ଼ିଶାରେ ବର୍ଷାର ମାତ୍ରା ଅଧିକ ରହିବ। ତେବେ ୨୩-୨୪ ଆଡ଼କୁ ବର୍ଷାର ମାତ୍ରା ଧୀରେ ଧୀରେ କମିବ।’