‘ପେତାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେତାଇ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ବଲାଙ୍ଗିରରେ ୩୧ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୧ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣାରେ ସର୍ବାଧିକ ୩୭ ମି.ମି. ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ବି  ଝିପିଝିପି ବର୍ଷା ଲାଗି ରହିଛି।

‘ପେତାଇ’ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।  ଆଜି ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପ୍ରତିକୂଳ ପରିବେଶ ଯୋଗୁ ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ଧୀରେ ଧୀରେ ଦୁର୍ବଳ ହେବ ବୋଲି ଜଣାପଡ଼ିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୯୦ କି.ମି. ରହିବ।

ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର  ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଓଡ଼ିଶାର ୪ ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ କରାଯାଇଥିବା ବେଳେ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ୪ଟି ଜିଲ୍ଲା ହେଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ସେହିଭଳି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼।

ଗଜପତି ଜିଲ୍ଲାରେ ପ୍ରାୟ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ୧୭୪ଟି ଆଶ୍ରୟ ସ୍ଥଳ କରାଯାଇଛି।  ଗୋପାଳପୁର ବନ୍ଦରରେ ୩ ନମ୍ବର ଏବଂ ଅନ୍ୟ ବନ୍ଦର ଗୁଡ଼ିକରେ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।

ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

You might also like