ବର୍ଷା ବିତ୍ପାତ: ସାଧାରଣ ଜୀବନଯାତ୍ରା ଠପ୍
ଭବାନୀପାଟଣା/ମାଲକାନଗିରି/ରାୟଗଡ଼ା/କନ୍ଧମାଳ: ପାଣି ଘେରରେ କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ। ଏଇ ଚାରି ଜିଲ୍ଲାରେ ଏକ ପ୍ରକାର ଠପ୍ ହୋଇଯାଇଛି ସାଧାରଣ ଜୀବନଯାତ୍ରା। ରାୟଗଡ଼ା ଜିଲ୍ଲା ଭାଲୁମାସ୍କାରେ ରେଳ ଧାରଣା ଉପରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ଷ୍ଟେସନ୍ ନିକଟରେ ଅଟକି ରହିଥିଲା ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସେଠାରେ ହୀରଖଣ୍ଡ ପ୍ରାୟ ୭ ଘଣ୍ଟା ଅଟକି ରହିଥିଲା। ଟିକିରିରେ ଅଟକି ରହିଥିଲା କୋରାପୁଟ-ବିଶାଖାପାଟଣା DMU ।
କଳାହାଣ୍ଡି ଜିଲ୍ଲା ହାତୀ ନଈ କୂଳରେ ଥିବା ବାଲିଛଡ଼ା, ମାଟିଖାଲ, ବିରିପୁର ଅାଦି ଗାଁରେ ପାଣି ପଶିଥିବା ବେଳେ ବଂଶଧାରା ଓ ଉଦାନ୍ତି ନଦୀରେ ବି ଅାସନ୍ନ ବନ୍ୟା ପରିସ୍ଥିତି। ମଦନପୁର ରାମପୁର ଠାରେ ଜାତୀୟ ରାଜପଥରେ ୨୦ଫୁଟର ଘାଇ ହେବା ଫଳରେ ଜୁନାଗଡ଼-କଲମପୁର ସମେତ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜଳବନ୍ଦୀ ଗାଁ ଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବିଭାଗ।
ସେପଟେ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ମାଟି ଅତଡ଼ା ଖସି ମୁଦୁଲିପଡ଼ା ଓ ଅଣ୍ଡରାବାହାଲ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ସାବେରୀ ନଦୀ ପୋଲ ଉପରେ ୭ ଫୁଟ ଉଚ୍ଚରେ ପାଣି ବହିବାରୁ ଛତିଶଗଡ଼ର ସୁକମାକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଇରପୁଟରେ ନଦୀରେ ଭାସିଯାଇ ଜଣେ ମହିଳା ପ୍ରାଣ ହରାଇଥିବା ସୂଚନା ମିଳିଛି।
କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବାଲିଗୁଡ଼ାରେ ବି ଲଗାଣ ବର୍ଷାରେ ଜାତୀୟ ରାଜପଥ ଉପରେ ପାଣି ଚାଲିବା ଯୋଗୁଁ ବୌଦ୍ଧ, କଳାହାଣ୍ଡି ଓ ରାୟଗଡ଼ାକୁ ଯାତାୟାତ ପ୍ରଭାବିତ ହୋଇଛି। ପରାମପାଙ୍ଗ ନିକଟ ଅସ୍ଥାୟୀ ପୋଲ ଉପରେ ପ୍ରବଳ ବେଗରେ ପାଣିଚାଲିବା ଯୋଗୁଁ ରାସ୍ତାରେ ଅାମ୍ବୁଲାନ୍ସ ମଧ୍ୟ ଅଟକିଥିବା ଦେଖିବାକୁ ମିଳିଥିଲା। ଫୁଲବାଣୀ ସହରରେ ମଧ୍ୟ ଲହଡ଼ି ମାରୁଛି ଅାଣ୍ଠୁଏ ଉଚ୍ଚ ପାଣି।
ରାଞ୍ଚି-ବିଜୟଓ୍ୱାଡା ଜାତୀୟ ରାଜପଥ ଉପରେ ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାରେ ଥିବା ଲକ୍ଷ୍ମୀ ନାଳ ଉପରେ ୫ ଫୁଟ୍ ପାଣି ଚାଲିବାରୁ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି।