ଲଗାଣ ବର୍ଷାରେ ନନ୍ଦନକାନନ ବେହାଲ
ବଟାନିକାଲ୍ ଗାର୍ଡେନ୍କୁ ରାସ୍ତା ବନ୍ଦ, କମିଛି ପର୍ଯ୍ୟଟକଙ୍କ ସଂଖ୍ୟା
ଭୁବନେଶ୍ୱର : ଜଳାର୍ଣ୍ଣବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଉବୁଟୁବୁ ରାସ୍ତାଘାଟ ଓ ଜୀବଜନ୍ତୁଙ୍କ ଏନ୍କ୍ଲୋଜର୍। ବୁଲାବୁଲି ପାଇଁ ଯାଗା ନପାଇ ଗୁମ୍ ହୋଇ ଶୋଇଛି ମହାବଳ। ଚୁପ୍ଚାପ୍ ଏମୁ ଓ ଅନ୍ୟାନ୍ୟ ପକ୍ଷୀ। ବାଘ ଏନ୍କ୍ଲୋଜର୍ ଭିତରୁ ପମ୍ପ୍ ଲଗାଇ ଜଳ ନିଷ୍କାସନ କରାଯାଉଛି। ଏପଟେ ନନ୍ଦନକାନନରେ ଜଳ ବଢ଼ିବାରୁ ବିନ୍ଦାସ୍ ଜଳହସ୍ତୀ। ସେମାନେ ରହୁଥିବା ଜଳାଶୟ କାଞ୍ଜିଅା ହ୍ରଦରେ ମିଶିବାକୁ ବସିଲାଣି।
ସେପଟେ କାଞ୍ଜିଅାକୁ ଲାଗି ବୋଟିଂ ପାଇଁ ଥିବା ଟିକେଟ୍ ଘରେ ପାଣି ପଶିଥିବାରୁ ବୋଟିଂ ବ୍ୟବସ୍ଥା ବି ବନ୍ଦ ରଖାଯାଇଛି। ସଫାରୀ ଭିତରେ କଚ୍ଚା ରାସ୍ତା ଧସିଥିବାରୁ ତାକୁ ବି ବନ୍ଦ ରଖାଯାଇଛି। ପାଣି ପହଁରି ବଟାନିକାଲ୍ ଗାର୍ଡେନ୍କୁ ଯିବା ବି ଅସମ୍ଭବ। ତେଣୁ ଦୂରଦୂରାନ୍ତରୁ ଅାସିଥିବା ପର୍ଯ୍ୟଟକ ଏକଦମ୍ ନିରାଶ।
ବର୍ଷ ତମାମ୍ ଏଠାରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଅାକର୍ଷଣ ସାଜିଥିବା କାଞ୍ଜିଅା ହ୍ରଦ, ଏବେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଦୁଃଖ ସାଜିଛି। ହ୍ରଦରୁ ଜଳ ନିଷ୍କାସନ ହୋଇପାରୁନଥିବାରୁ ସେଥିରେ ଜଳସ୍ତର ବଢ଼ି ପ୍ରାଣୀଉଦ୍ୟାନର ତଳି ଅଞ୍ଚଳକୁ ବୁଡ଼ାଉଛି। ତେବେ ଏଥିଯୋଗୁଁ ଜୀବଜନ୍ତୁଙ୍କ ପାଇଁ ସେଭଳି କୌଣସି ସମସ୍ୟା ନାହିଁ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ପାଇଁ ବର୍ଷା ସମସ୍ୟା ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ କାଞ୍ଜିଅା ହ୍ରଦରୁ ବଡ଼ ବଡ଼ ମାଛ ମାରି ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି।