ଜଳବନ୍ଦୀ ଶ୍ରୀଲୋକନାଥ ମନ୍ଦିର

ପୁରୀ : ଜଳବନ୍ଦୀ ଅବସ୍ଥାରେ ଶ୍ରୀକ୍ଷେତ୍ର ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କ ମନ୍ଦିର। ମନ୍ଦିରର ଗମ୍ଭୀରା ଠାରୁ ଦେବୀ ପାର୍ବତୀ, ଶ୍ରୀଗଣେଶ, କାର୍ତ୍ତିକଙ୍କ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ପ୍ରବେଶ ପଥ ଓ ଅଗଣାରେ ପାଣି ଜମିରହିଥିବାରୁ ଭକ୍ତ ମାନେ ପଛପାଖ ଦେଇ ମନ୍ଦିର ଭିତରକୁ ଯାଉଥିଲେ ମଧ୍ୟ ସଠିକ୍‌ ଭାବେ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଅନ୍ୟପଟେ ପ୍ରତିବର୍ଷ ବର୍ଷା ଦିନେ ଏଇଭଳି ଦିନ ଦିନ ଧରି ପାଣି ଜମି ରହୁଥିବାରୁ  ମନ୍ଦିରର ସ୍ଥିତି ବିଗିଡ଼ି ଯାଉଥିବାବେଳେ ସେବା ପୂଜା କରିବାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ସେବାୟତ। ସେପଟେ ପ୍ରତିବର୍ଷ ବର୍ଷାଦିନରେ ଏଭଳି ସମସ୍ୟା ଉପଜୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମନ୍ଦିର ଚତୁପାର୍ଶ୍ୱରେ ଡ୍ରେନେଜ ସିଷ୍ଟମ କରାଯାଇପାରିନାହିଁ।

ଗତ ୨୦୧୭ ମସିହାରେ ପାର୍ବତୀ ସାଗରର ପାଚେରୀ ଭୁଶୁଡି ପଡିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାର୍ବତୀ ସାଗରର ପାଚେରୀ ମରାମତି ବା ପୁନଃରୁଦ୍ଧାର ହୋଇପାରିନାହିଁ। ତେବେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ସହ ଆଲୋଚନା କରି ଡ୍ରେନେଜ୍‌ ସିଷ୍ଟମ ସୁଧାରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

You might also like