ରାଜ୍ୟରେ ବାଟବଣା ବର୍ଷାଜଳ ଅମଳ ପ୍ରକଳ୍ପ

୧୦୦ କୋଟି ଅନୁଦାନରୁ ୫ ବର୍ଷରେ ଅଧା ବି ଖର୍ଚ୍ଚ କରିପାରି ନାହାନ୍ତି ସରକାର

ଭୁବନେଶ୍ୱର : ରାଜ୍ୟରେ ବାଟବଣା ହୋଇଛି ବର୍ଷାଜଳ ଅମଳ ଓ ଭୂତଳ ଜଳସ୍ତର ବୃଦ୍ଧି ଯୋଜନା। ପ୍ରକଳ୍ପ ପାଇଁ ଥିବା ୧୦୦ କୋଟିରୁ ୫ ବର୍ଷରେ ଅଧା ବି ଖର୍ଚ୍ଚ କରିପାରିନାହାଁନ୍ତି ସରକାର। ଘରୋଇ ଭାବେ ନିଜ ଛାତରେ ପ୍ରକଳ୍ପ କରିଥିବା ଲୋକଙ୍କୁ ସବ୍‌ସିଡି ବି ଦେଉନାହାଁନ୍ତି। ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆକ୍ସନ ପ୍ଲାନ ନ କରି ୪ ମାସ ହେବ ଚୁପ୍ ବସିଛନ୍ତି ରାଜ୍ୟ ସରକାର। ଫଳରେ ଅନେକ ଯୋଜନା ପରି ଏ ଯୋଜନା ବି ‘ବହୁ ଆଡମ୍ବରରେ ଲଘୁକ୍ରିୟା’ରେ ପରିଣତ ହୋଇଛି।

୨୦୧୫ ଜାନୁଆରୀ ୧୪ରେ ରାଜ୍ୟରେ ଆରମ୍ଭ ହେଲା ବର୍ଷାଜଳ ଅମଳ ଓ ଭୂତଳ ଜଳସ୍ତର ବୃଦ୍ଧି ଯୋଜନା। ଲକ୍ଷ୍ୟ ଥିଲା ୫ ବର୍ଷରେ ୫୫୦ ସରକାରୀ ଓ ୧୬ ହଜାର ୪୦୫ଟି ଘରୋଇ କୋଠାରେ ପ୍ରକଳ୍ପ ତିଆରି ହେବ। ଏମତିକି ସରକାରୀ କୋଠାରେ ପ୍ରକଳ୍ପକୁ ବାଧ୍ୟତାମୂଳକ କରିବା ପାଇଁ ବି ନିଷ୍ପତ୍ତି ହୋଇଥିଲା ।

ପୁରା ଯୋଜନା ପାଇଁ ୧୦୦ କୋଟିର ବ୍ୟୟବରାଦ ବି ହୋଇଥିଲା। ଆଉ ଏ ହେଉଛି ବାସ୍ତବତା। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କରିଥିବା ଭୁବନେଶ୍ୱରର ଦିଗମ୍ବର ଶତପଥୀଙ୍କୁ ସବ୍‌ସିଡି ଟଙ୍କା ଦେବାକୁ ଧରାଛୁଆ ଦେଉଁନାହାଁନ୍ତି ସରକାର।

ତେବେ ଘରୋଇ ଭାବେ ଏହାକୁ ତିଆରି କଲେ ସରକାର, ଖର୍ଚ୍ଚ ଅର୍ଥର ଅଧା କିମ୍ବା ସର୍ବୋଚ୍ଚ ୪୫ ହଜାର ଟଙ୍କା ଦେବେ ବୋଲି କହିଥିଲେ। ହେଲେ ୧୧ ମାସ ପରେ ବି ଦିଗମ୍ବରଙ୍କୁ ଟଙ୍କା ଟିଏ ବି ଦେଲେନି। ଅଭିଯୋଗ ଅନୁଯାୟୀ, କେବଳ ଭୁବନେଶ୍ୱରରେ ପ୍ରାୟ ୪୦୦ ଲୋକଙ୍କୁ ସବ୍‌ସିଡି ଟଙ୍କା ଦେଉନାହାଁନ୍ତି ସରକାର।

ପ୍ରଥମେ ଭୁବନେଶ୍ୱର ସମେତ ୫ଟି ଓ ପରେ ଆଉ ୬ଟି ସହରକୁ ଏଥିରେ ଅନ୍ତର୍ଭୁକ୍ତ କରାଗଲା। ପାଖାପାଖି ୫ ବର୍ଷ ପରେ ଯୋଜନା ଲାଗି ଉଦ୍ଦିଷ୍ଟ ୧୦୦ କୋଟିରୁ ମାତ୍ର ୪୮ କୋଟି ଖର୍ଚ୍ଚ ହୋଇପାରିଛି। ୩୫୮ଟି ସରକାରୀ କୋଠା ଓ ୯୪୩୮ଟି ଘରୋଇ କୋଠାରେ ଏହି ପ୍ରକଳ୍ପ ହୋଇଥିବା ଜଳ ସଂପଦ ବିଭାଗ କହୁଛି। ତେବେ ଝାରସୁଗୁଡା ଓ ସମ୍ବଲପୁର ପରି କିଛି ସ୍ଥାନରେ ଏହି ପ୍ରକଳ୍ପ କାଗଜ କଲମରେ ତିଆରି ହୋଇଥିବା ଅଭିଯୋଗ ଆସିଥିବା ବେଳେ ଅନେକ ସ୍ଥାନରେ ନିର୍ମାଣ ପରେ ବର୍ଷ କେଇଟା ଭିତରେ ଅକାମୀ ହୋଇ ପଡ଼ିଛି।

ମରୁଡ଼ି ପ୍ରଭାବିତ ଇଲାକାରେ ଏହି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେବାକୁ ଜୁନ୍ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ହେଲେ  ୪ ମାସ ପରେ ବି ଆକ୍ସନ ପ୍ଲାନ ତ ଦୂର କଥା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଚିଠି ଜଳସଂପଦ ବିଭାଗ ଦେଇ କେବଳ ଭୂତଳ ଜଳ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ପହଁଞ୍ଚିଛି। ଏପଟେ ୨୭ଟି ସହର ସହ ୪୯ ଟି ବ୍ଲକରେ ନୂଆ ପ୍ରକଳ୍ପ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି ବୋଲି ସଫେଇ ଦେଇଛି ନିର୍ଦ୍ଦେଶାଳୟ।

ଏବେ ପ୍ରଶ୍ନ ଉଠୁଛି କାହିଁକି ଯୋଜନା ବାଟ ହୁ଼ଡିଲା? କାଗଜ କଲମରେ ପ୍ରକଳ୍ପ କରି ଟଙ୍କା ହପଡ କରାଯାଇନାହିଁ ତ ।

You might also like