୮ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳରୁ ଅଗ୍ରସର ହୋଇ ଉପକୂଳ କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳ ଅତିକ୍ରମ କରିଛି। ଏହାସହ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ମୌସୁମୀ ବାୟୁ ଛୁଇଁଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ସୋଲାପୁର, ରାଇଚୁର, କର୍ଣ୍ଣୁଲ, ତିରୁପତି ଓ କଡଲୁରରେ ବର୍ଷା ଆରମ୍ଭ ହୋଇଛି।

ସେପଟେ ବିହାରର ଦକ୍ଷିଣ ଅଞ୍ଚଳ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। କୋରାପୁଟର ଲମତାପୁଟ, ସିମିଳିଗୁଡ଼ା, ପଟାଙ୍ଗୀ, ମୟୂରଭଞ୍ଜର ଚନ୍ଦନପୁର ଓ ବାଲେଶ୍ୱରର ରାଜଘାଟରେ ସ୍ୱଳ୍ପ ଧରଣର ବର୍ଷା ରେକର୍ଡ କରାଯାଇଛି।

ରାଜ୍ୟରେ ଆଗକୁ କେମିତି ରହିବ ପାଣିପାଗ ସେନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶ ଏଚ୍. ଆର୍‌. ବିଶ୍ୱାସ ସୂଚନେ ଦେଇ କହିଛନ୍ତି, ‘୮ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ ଓ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୯ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ୯ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଉତ୍ତର ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର,  କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ଏମିତି ପାଗ ରହିବ ଓ ୮-୯ ତାରିଖ ଆଡ଼କୁ ବର୍ଷାର ପରିମାଣ ବଢ଼ିପାରେ।

ଆହୁରି ପଢନ୍ତୁ : ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

You might also like