ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ

ଭୁବନେଶ୍ୱର : ମଙ୍ଗଳବାର ସନ୍ଧ୍ୟାରୁ ଅବିଶ୍ରାନ୍ତ ବର୍ଷା ଚାଲିଛି ଯେ, ଛାଡ଼ିବାର ନାଁ ନେଉନି। କେତେବେଳେ ଝିପି ଝିପି ତ ପୁଣି କେତେବେଳେ ଦୁଲୁ ଦୁଲୁ କଚାଡୁଛି। ଲଗାଣ ବର୍ଷା ପରେ ଏମିତି ଅବସ୍ଥା ହୋଇଛି ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ପଞ୍ଚାୟତରେ। ବର୍ଷା ସାଙ୍ଗକୁ ସାଳନ୍ଦୀ ନଦୀର ପାଣି ମିଶିବା ପରେ ବୁଡିଛି ଗାଁ ଦାଣ୍ଡ, ରାସ୍ତା ଘାଟ।

ପାଖାପାଖି ୫ଶହରୁ ଅଧିକ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ। ଅାଉ ଲଗାଣ ବର୍ଷା ଯେମିତି ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଦୀର୍ଘ ମାସେରୁ ଅଧିକ ସମୟ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପୁରୀ ଗୋପୀନାଥପୁର ନୂଅାସାହି, ମଲ୍ଲିକ ସାହି ସହ ସୁଜାତାନଗର ଅଞ୍ଚଳବାସୀ। ବାହାର ଅପେକ୍ଷା ଘର ଭିତରର ଅବସ୍ଥା ଅଧିକ ସଂଗୀନ।

ସେହିପରି ବାଣିଜ୍ୟିକ ସହର କଟକର ରାସ୍ତାରେ ଚାଲୁଛି ଅାଣ୍ଠୁଏ ପାଣି। ବର୍ଷା ଓ ନାଳ ପାଣି ଏକାକାର। ମେରିଅା ବଜାର, ପଟାପୋଲ ଓ ରକ୍ସିଲେନ୍ ସବୁଠି ଦୁର୍ଦ୍ଦଶାର ଚିତ୍ର। ପ୍ରବଳ ବର୍ଷାରେ ବେହାଲ ହୋଇଛି ବନ୍ଦର ନଗରୀ ପାରାଦୀପ। ସହରର ବହୁ ତଳିଅା ଅଞ୍ଚଳ ଜଳବନ୍ଦୀ ହୋଇ ପଡିଛି। ତେଣେ ଲଗାଣ ବର୍ଷାରେ ଅାଜି ବି ଜଳବନ୍ଦୀ ହୋଇଥିଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର। ଅାଣ୍ଠୁଏ ପାଣିରେ ପଶି ବ୍ଲାକ୍ ପାଗୋଡ଼ାର କାରୁକାର୍ଯ୍ୟ ଉପଭୋଗ କରୁଥିବାବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ। ପରେ ପମ୍ପ ଲଗାଯାଇ ମନ୍ଦିର ବେଢ଼ାରୁ ପାଣି ନିଷ୍କାସନ କରାଯାଇଥିଲା।

ପାଣିପାଗ ବିଭାଗ କହୁଛି ରାଜ୍ୟରେ ବର୍ଷା ଅାହୁରି ୨୪ ଘଣ୍ଟା ଲାଗି ରହିବ। ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ବଳୟ ଡିପ୍ରେସନର ରୂପ ନେଇଛି। ୨୪ ଘଣ୍ଟାରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେବ। ପ୍ରଭାବରେ ଦକ୍ଷିଣ ଓ ଅାଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସରକାରୀ ସୂଚନା ଅନୁସାରେ କେବଳ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିନଥିଲେ ବି ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ସହ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଅାଯାଇଛି।

ତଥ୍ୟ ଅନୁସାରେ ଚଳିତ ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୧୫.୬ ପ୍ରତିଶତ ଅଧିକ ବର୍ଷା ହୋଇଛି। ଯାହା କି ଚାଷୀଙ୍କ ପାଇଁ ଅନୁକୂଳ ହେବ ବୋଲି କହିଛି ପାଣିପାଗ ବିଭାଗ।

You might also like