ଧସିଲା ପାହାଡ଼, ମାଟିରେ ମିଶିଗଲା ୨୦ ଘର

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ସାରା ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପାହାଡ ଧସି ଘର ଭୁଶୁଡ଼ି ଯାଇଥିବାବେଳେ କେନ୍ଦ୍ରାପଡ଼ାରେ ଅଞ୍ଚଳରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି।

ରାୟଗଡ଼ା ଜିଲ୍ଲାରେ ଗତକାଲି ରାତି ତମାମ ବର୍ଷା ଲାଗି ରହିଥିଲା । ଗୁଣପୁରର ରିଜିଙ୍ଗତାଲ ନିକଟରେ ପାହାଡରୁ ପଥର ଧସି ଯାଇଛି। ଫଳରେ ରାସ୍ତା ଉପରେ ପଥର ପଡ଼ି ରହିଥିବାରୁ ରାସ୍ତା ଅବରୋଧ ହୋଇଛି। ଗୁଣପୁରରୁ ପୁଟାସିଂକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।   ଆଜି ସକାଳୁ ରାସ୍ତାରେ ବିରାଟକାୟ ପଥର ପଡିଥିବା ଦେଖିବାକୁ ମିଳିଥିଲା। ତେବେ ଏ ନେଇ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।

ବର୍ଷା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଜପତି ଜିଲ୍ଲା। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାହାଡ଼ ଧସି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଗୁମ୍ମା ବ୍ଲକର ତିପିସିଂ-କୁଲମ୍ ମଧ୍ୟରେ ଏକ ପାଡ଼ାଡ଼ ଧସି ୨୦ଟି ଘର ମାଟିରେ ମିଶିଯାଇଛି । ୬୦ରୁ ଅଧିକ ଘର ଆଂଶିକ ନଷ୍ଟ ହୋଇଛି। ତେବେ ଏଥିରେ କାହାରି କୌଣସି କ୍ଷତି ହୋଇଥିବାର ଖବର ନାହିଁ।  ଘର ଭାଙ୍ଗିଯିବାରୁ ବହୁ ଲୋକ ଅସହାୟ ହୋଇ ଅନ୍ୟଘରେ ଆଶ୍ରୟ ନେଇଛନ୍ତି। ପାହାଡ଼ ଧସିବା ଖର ପାଇ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି।


ସେହିପରି ଗଜପତି ଜିଲ୍ଲାର ମୋହନାରେ ବି ପ୍ରବଳ ବର୍ଷାରୁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ଏଠି ମଧ୍ୟ ବିଭିନ୍ନ ସ୍ଥାନରେ ପାହାଡ଼ ଧସିଥିବାର ଖବର ପହଞ୍ଚୁଛି । ସ୍ଥାନୀୟ ପି. ଅନ୍ତରଡ଼ା ଗାଁ ନିକଟରେ ପାହାଡ଼ରୁ ମାଟି ଅତଡ଼ା ଧସିବାରୁ ନୂଆଗଡ଼-ମୋହନା ମଧ୍ୟରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ମୋହନା ଦେଇ ପ୍ରବାହିତ ହରଭାଙ୍ଗି ନଦୀ ଓ ଅଠର ନଳାରେ ଜଳସ୍ତର ବଢ଼ିବାରେ ଲାଗିଛି । ଏବେ ବି ବର୍ଷା ଲାଗି ରହିଥିବାରୁ ସ୍ଥିତି ଆହୁରି ବିଗିଡିବାର ଆଶଙ୍କା ରହିଛି।

କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେଉଛି ହରିଚନ୍ଦନ ପୁର ବ୍ଲକ୍ ମିଶ୍ରମାଳ ଗାଁରେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି।  ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ମିଶ୍ରମାଳ ଗାଁରେ ମକରା ମୁଣ୍ଡା, ତାଙ୍କ ପତ୍ନୀ ସୋମବାରୀ ମୁଣ୍ଡା ଓ ଜ୍ୱାଇଁ ସମା ମୁଣ୍ଡା ଘରେ ଶୋଇଥିଲେ। ରାତିରେ ଘରର ମାଟି କାନ୍ଥ ଭଶୁଡ଼ି ଯାଇଥିଲା।  ଘର ଆରପଟେ ଶୋଇଥିବା ପୁଅ କରମୁ ମୁଣ୍ଡା ପଡୋଶୀକୁ ଡାକି ନିଜ ବାପା, ମା ଓ ଭିଣୋଇଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବାପା ମକରା ମୁଣ୍ଡାଙ୍କ ମୃତ୍ୟୁ ଘଟି ସାରିଥିଲା। ମାଆ ସୋମବାରୀ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

You might also like