ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଲ୍‌ୱେର ସୂଚନା: ଦିଆଯାଇଛି ୬୯୯୫ କୋଟି ୫୮ ଲକ୍ଷ

ଭୁବନେଶ୍ୱର: ରେଳ ବଜେଟ୍‌ରେ ଓଡ଼ିଶାକୁ ଅନୁଦାନ ନେଇ ଅନେକ ତର୍କ ବିତର୍କ ପରେ ବ୍ୟୟ ବରାଦ ସମ୍ପର୍କରେ ସୂଚନା ଦେଇଛି ରେଳବାଇ। ରେଳବାଇର ସୂଚନା ଅନୁସାରେ, ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ମିଳିଛି। ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଥିବା ରେଳବାଇ ସୂଚନା ଦେଇଛି। ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା।

ତେବେ ଏଥରର ରେଳ ବଜେଟରେ ଓଡ଼ିଶାରେ ଚାଲିଥିବା କାମ ଶୀଘ୍ର ସାରିବାକୁ ଗୁରୁତ୍ୱ ଦିଆଯିବା ସହିତ ଆଧୁନିକୀକରଣ ଓ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଚଳତି ବଜେଟ୍‌ରେ ନୂଆ ଲାଇନ ପାଇଁ ୧୫୫୩ କୋଟି, ଡବଲିଂ ପାଇଁ ୧୭୦୨ କୋଟି, ଲେବଲ କ୍ରସିଂ ପାଇଁ ୧୮ କୋଟି, ଟ୍ରାକ୍ ନବୀକରଣ ପାଇଁ ୪୦୨ କୋଟି, ସେତୁ ପାଇଁ ୩୮.୫ କୋଟି, ବିଦ୍ୟୁତକରଣ ପାଇଁ ୧୭୩ କୋଟି, ଯାତ୍ରୀ ସୁବିଧା ପାଇଁ ୩ଶହ କୋଟି, ସିଗ୍ନାଲ ପାଇଁ ୬୯ କୋଟି ବ୍ୟୟ ବରାଦ ହୋଇଛି।

ସେହପରି ଖୋର୍ଦ୍ଧା-ବଲାଙ୍ଗିର ଲାଇନ ପାଇଁ ବଜେଟ୍‌ରେ ସର୍ବାଧିକ ଅନୁଦାନ ମିଳିଛି। ଖୋର୍ଦ୍ଧା-ବଲାଙ୍ଗିର ଲାଇନ ପାଇଁ ସର୍ବାଧିକ ୧ ହଜାର କୋଟି ୫୦ ଲକ୍ଷ ମିଳିଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୪ଶହ କୋଟି, ନାରାୟଣଗଡ଼-ଭଦ୍ରକ ପାଇଁ ୨୨୫ କୋଟି, ହରିଦାସପୁର-ପାରାଦୀପ ଲାଇନ ପାଇଁ ୧ ଶହ କୋଟି ଅନୁଦାନ, ଜୟପୁର-ମାଲକାନଗିରିକୁ ୨୮ ଓ ଜୟପୁର-ନବରଙ୍ଗପୁରକୁ ୧୫ କୋଟି ଅନୁଦାନ ମିଳିଛି।

ତା ସହିତ ଓଡ଼ିଶାରେ ରେଳ ସଂପର୍କିତ ୩ଟି କାରଖାନା ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।ଅନୁଗୁଳ ବିଦ୍ୟୁତ ରେଳ ଇଞ୍ଜିନ ସେଡ୍ ସଂପ୍ରସାରଣ ପାଇଁ ୧ କୋଟି ମିଳିଥିବା ବେଳେ ମାନେଶ୍ୱର ମାଲବାହୀ ଟ୍ରେନ ମରାମତି କାରଖାନା ପାଇଁ ୧୦ କୋଟି ଓ କଳାହାଣ୍ଡିରେ ବିଦ୍ୟୁତ ଇଂଜିନ ମରାମତି କାରଖାନା ପାଇଁ ୧ କୋଟି ଟଙ୍କା ବ୍ୟୟ ବରଦା ହୋଇଛି।

ତେବେ ବଜେଟ୍‌ରେ ଏଥର ଓଡ଼ିଶାକୁ ମିଳିଥିବା ଅନୁଦାନକୁ ନେଇ ରାଜ୍ୟ ସରକାରଙ୍କ ଖୁସୀ ନଥିବା ବେଳେ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାର ସମଗ୍ର ଦେଶ ସହ ଓଡ଼ିଶାର ବି ଉନ୍ନତି ଚାହାଁନ୍ତି। ବଜେଟର ପ୍ରକୃତ ତଥ୍ୟ ନଜାଣି କିଛି ଲୋକ ଅପପ୍ରଚାର କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।  

ଅନୁଦାନ ସମ୍ପର୍କରେ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ପୂର୍ବରୁ ପଶ୍ଚିମକୁ ଯୋଡ଼ୁଥିବା ଲାଇନ୍ ପାଇଁ ହଜାରେ କୋଟି ବ୍ୟୟବରାଦ ହୋଇଛି। ସୋନପୁର-ବୌଦ୍ଧ ଓ କନ୍ଧମାଳରେ ଜମି ଅଧିଗ୍ରହଣ ସମସ୍ୟା ରହିଥିବାରୁ କାମ ଆଗେଇ ପାରୁ ନାହିଁ। ତେଣୁ ରାଜ୍ୟ ସରକାର ଏହାକୁ ତୁରନ୍ତ ସମାଧାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୁବ୍‌ଶୀଘ୍ର ହରିଦାସପୁର ରେଳ ଲାଇନ ଲୋକାର୍ପଣ ହେବ। ଅନୁଗୁଳରେ ବିଦ୍ୟୁତ ଇଞ୍ଜିନ ନିର୍ମାଣ ପ୍ରକଳ୍ପର ସଂପ୍ରସାରଣ ହେବ। କଳାହାଣ୍ଡିରେ ଇଲେକ୍ଟ୍ରିକ ଇଞ୍ଜିନ ମରାମତି କାରଖାନା ହେବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି।

ତେବେ ଏହା ପୂର୍ବରୁ ରେଳ ବଜେଟ୍‌ରେ କେତେ ଅନୁଦାନ ମିଳିଥିଲା ସେ ନେଇ ସୂଚନା ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ପିଯୂଷ ଗୋୟଲ। ଚଳିତ ରେଳ ବଜେଟ୍‌ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ବୋଲି ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ।

ଏହା ପୂର୍ବରୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରେଳ ବଜେଟ୍‌ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ଅନୁସାରେ ବ୍ୟୟ ବରାଦ ହୋଇନି। ମାତ୍ର ୪,୫୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ଯେଉଁ ନୂଆ ପ୍ରୋଜେକ୍ଟ ଦେଇଥିଲୁ ଏଥରର ବଜେଟ୍‌ରେ ତାହା ଅନ୍ତର୍ଭୁକ୍ତ ହୋଇ ନାହିଁ। ତେଣୁ ଏହା ଏକ ନୈରାଶ୍ୟଜନକ ବଜେଟ୍ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ବଜେଟ୍‌ରେ ଓଡ଼ିଶାକୁ ଉପେକ୍ଷିତ କରାଯାଇଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଯାହା ଆଶା କରାଯାଉଥିଲା ତାହା ପୂରଣ କରାଯାଇ ନାହିଁ। ଆଗକୁ ନିର୍ବାଚନ ଥିବାରୁ ବଜେଟ୍‌ରେ ଚେନ୍ନାଇ ଓ ପଶ୍ଚିମବଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ରେଳବାଇର ରାଜସ୍ୱ ବୃଦ୍ଧି ଯୋଗୁ ଯେଉଁ ପଦକ୍ଷେପ ନିଆଯାଇ ନାହିଁ ବୋଲି ନିରଞ୍ଜନ କହିଛନ୍ତି। ରାଜ୍ୟ ସରକାରଙ୍କର ଭିତରି ସମ୍ପର୍କ ରହିଛି। ବାହାରେ ଲୋକ ଦେଖାଣିଆ କରୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କର ଦାବି ସନ୍ଦେହ ମୂଳକ ବୋଲି ନିରଞ୍ଜନ କହିଛନ୍ତି।

You might also like