‘ଫୋନି’ ଯୋଗୁ ଟ୍ରେନ୍‌ ଓ ବିମାନସେବା ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ଟ୍ରେନ୍‌ ଓ ବିମାନସେବା ପ୍ରଭାବିତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ଟ୍ରାକ୍ ସଜାଡ଼ି ଭାଇଜାଗ୍-ଭଦ୍ରକ ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷେ, ରନ୍‌ୱେ ସଫା କରାଯିବା ସହ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଟାଓ୍ୱାର ମରାମତି ହେବା ପରେ ଧୀରେ ଧୀରେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ସ୍ୱାଭାବିକ ହେଉଛି।

ସେହିପରି ‘ଫୋନି’ ଯୋଗୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଟ୍ରେନ୍ ସେବା ଠପ୍ ହୋଇଥିବା ବେଳେ ଭୁବନେଶ୍ୱରରୁ ବିମାନ ସେବା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି।

ବାତ୍ୟା ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ଅନେକ କ୍ଷୟକ୍ଷତି ହୋଇଛି। ୧ନମ୍ବର ପ୍ଲାଟଫର୍ମ ଭାଇଜାଗ୍-ଭଦ୍ରକ ରୁଟ୍‌ରେ ଟ୍ରେନ୍‌ ବହୁ ସ୍ଥାନରେ ଟ୍ରାକ୍ ଉପରେ ଉପୁଡ଼ି ପଡ଼ିଥିବା ଗଛ ସବୁକୁ ହଟାଯିବା ସହ ନଷ୍ଟ ହୋଇଥିବା ଟ୍ରାକ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ା ଚାଲିଛି।  ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଭଦ୍ରକ-ଭାଇଜାଗ୍ ରୁଟ୍‌ରେ ୫୦ ପ୍ରତିଶତ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ କରାଯାଉଛି ବୋଲି ଭୁବନେଶ୍ୱର ଷ୍ଟେସନ ନିର୍ଦ୍ଦେଶକ କହିଛନ୍ତି। ସେହିପରି ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ୯ଟି ସ୍ୱତନ୍ତ୍ର ଟ୍ରେନ୍  ବ୍ୟବସ୍ଥା କରାଯାଇଛି। ଟ୍ରେନ୍ ଚାଲୁନଥିବାରୁ ଗନ୍ତବ୍ୟସ୍ଥଳକୁ ଅନେକ ଯାତ୍ରୀ ଯାଇପାରି ନାହାନ୍ତି। 

‘ଫୋନି’ର ପ୍ରଭାବରୁ ବାଦ୍ ପଡ଼ିନି ଭୁବନେଶ୍ୱର ବିମାନ ବନ୍ଦର। ପ୍ରବଳ ପବନରେ ପାସେଞ୍ଜର ଟର୍ମିନାଲ୍ ବିଲ୍ଡିଂ, ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଟାଓ୍ୱାର ଓ ବିମାନ ବନ୍ଦର ପାଚେରି ଆଦି କ୍ଷତିଗ୍ରସ୍ତ ହୋଇଛି। ସହର ଭିତରୁ ଆବର୍ଜନା ସବୁ ଆସି ବିମାନ ବନ୍ଦର ରନୱେରେ ପଡିଥିବାରୁ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଥିଲା। ତେବେ ଆବଶ୍ୟକ ସୁରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ପରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଦିଲ୍ଲୀକୁ ଉଡାଣ କରିଛି।  ଧିରେ ଧିରେ ଅନ୍ୟ ସବୁ ବିମାନର ଉଡ଼ାଣ ମଧ୍ୟ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି।

 

You might also like