ରଘୁନାଥଙ୍କ ହାତର ଯାଦୁଗରୀ ସ୍ପର୍ଶରେ କଥା କହେ ଶାମୁକା ଓ ଶଙ୍ଖ

ପୁରୀ : ମାଟି ନୁହେଁ କି ପଥର ନୁହେଁ। ସମୁଦ୍ରର ବିସ୍ତୀର୍ଣ୍ଣ ବାଲୁକାରାଶିର ଅଦକାରୀ ଶଙ୍ଖ କିମ୍ବା ଶାମୁକାଟିଏ ତାଙ୍କ ହାତରେ ପଡ଼ିଗଲେ, ସତେ ଯେମିତି ପାଲଟିଯାଏ ଜୀବନ୍ତ। ତାଙ୍କର ସୃଜନଶୀଳ ପରିକଳ୍ପନା କେତେବେଳେ ପ୍ରତିମୂର୍ତ୍ତି କଳାରେ ରୂପାୟିତ ହୁଏ, ଆଉ କେବେ ପାଲଟିଯାଏ ଆକର୍ଷଣୀୟ ଘରକରଣା।

ଆଉ ଏହି ଯାଦୁଗରୀ କଳାର ପ୍ରବୀଣ ଶିଳ୍ପୀ ହେଲେ ପୁରୀର ରଘୁନାଥ ମହାପାତ୍ର। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ଆଧାରିତ ଦଶାବତାର ମୂର୍ତ୍ତୀ ହେଉ କିମ୍ବା ଶ୍ରୀମନ୍ଦିରର ପ୍ରତିକୃତି, ଅଥବା ମା’ଦୁର୍ଗତି ନାଶିନୀଙ୍କ ଦଶମହାବିଦ୍ୟା ହେଉ କିମ୍ବା ସାଧବ ପୁଅଙ୍କ ନୌବାଣିଜ୍ୟର ଗୌରବମୟ ଗାଥା। ଅତି ନିଖୁଣ ଆଉ ସୂକ୍ଷ୍ମକଳାର ଏହି କାରୁକାର୍ଯ୍ୟ ଆଜି ତାଙ୍କୁ ଦେଇଛି ପ୍ରସିଦ୍ଧି।

ବୟସର ଅପରାହ୍ନରେ ବି ତାଙ୍କ ଶିଳ୍ପୀ ମନୋଭାବର ଯୁବପଣ ଯୋଗୁ ଆଜି ସେ ବହୁ ସମ୍ମାନ ଓ ସ୍ୱୀକୃତିର ଅଧିକାରୀ।

ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରଥମେ ଯୁବ ବୟସରେ ଏହି କଳାକୁ ଆପଣାଇ ନେଇଥିଲେ ରଘୁନାଥ। ଅନେକ ସଂଘର୍ଷ ଆଉ ସଂଗ୍ରାମ ଭିତରେ ଗୋଟିଏ ପରେ ଗୋଟିଏ କଳାକୃତୀ ତାଙ୍କୁ ବାଟ କଢ଼ାଇନେଇଥିଲା ସଫଳତା ଆଡକୁ। କ୍ରମେ ରାଜ୍ୟ, ପରେ ଦେଶ ଆଉ ଏବେ ସାରା ବିଶ୍ୱରେ ରଘୁନାଥ ପାଲଟିଯାଇଛନ୍ତି ପରିଚିତ ଶିଳ୍ପୀ। ଏବେ ତାଙ୍କ ପୁଅ ବି ଆପଣାଇ ନେଇଛନ୍ତି ଶଙ୍ଖ ଆଉ ଶାମୁକାର ଏହି ହସ୍ତକଳାକୁ।

ଖାଲି ଯେ ପୁଅ କିମ୍ବା ପରିବାର ତାନୁହେଁ, ରଘୁନାଥଙ୍କ ଏହି କଳାକୁ ଆଦରି ନେଇ ସ୍ୱାବଲମ୍ବୀ ହୋଇଛନ୍ତି ବହୁ ଯୁବ ଶିଳ୍ପୀ।

You might also like