ଜେଲ୍‌ ସୁରକ୍ଷାକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର: ଜେଲ୍‌ ସୁରକ୍ଷାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା। କେଉଁଠି ଜେଲର୍‌ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଛି ତ ଆଉ କେଉଁଠି ଜେଲର୍‌ଙ୍କ ବଦଳରେ ତାଙ୍କ ସ୍ୱାମୀ କାର୍ଯ୍ୟ ତୁଲାଉଛନ୍ତି ।

ବ୍ରହ୍ମପୁରରେ ଥିବା ସର୍କଲ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସେପ୍ଟେମ୍ବର ୩୦ରେ ଦାୟିତ୍ୱରେ ଥିବା ବରିଷ୍ଠ ଜେଲ୍‌ ଅଧୀକ୍ଷକ ଅବସର ନେଇଥିଲେ। ସେହିଦିନଠାରୁ ୨ ମାସ ଧରି ଜେଲ୍‌ ଅଧୀକ୍ଷକ ପଦବୀ ଖାଲି ପଡ଼ିଛି।

ବ୍ରହ୍ମପୁର ଜେଲ ଅତି ସ୍ପର୍ଶକାତର ଏଇଥିପାଇଁ, କାରଣ ଏଠାରେ ରହୁଛନ୍ତି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସମେତ ବହୁ ହାର୍ଡକୋର୍‌ ଅପରାଧୀ। ଏଭଳି ସ୍ଥିତିରେ ଜେଲ୍‌ରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ ଆଗକୁ ଜେଲ୍‌ର ସୁରକ୍ଷା ବିପନ୍ନ ହେବାର ଆଶଙ୍କା କରାଯାଉଛି। କାରାଗାରରେ ୧୬ ୱାର୍ଡର ପଦବୀ ଖାଲି ଥିବା ବେଳେ ୧୦ ଜଣ ଅଫିସରଙ୍କ ସ୍ଥାନରେ ମାତ୍ର ୪ ଜଣ ଅଛନ୍ତି।

ଅନ୍ୟପଟେ ବାଲେଶ୍ୱର ନୀଳଗିରି ସବ୍‌ଜେଲ୍‌ରେ ସୁପରିଟେଣ୍ଡେଣ୍ଟ୍‌ ମମତାବାଳା ପାତ୍ରଙ୍କ ଅଫିସ୍ କାର୍ଯ୍ୟ ତାଙ୍କ ସ୍ୱାମୀ ତୁଲାଉ ଥିବା ଜଣାପଡ଼ିଛି। ଯାହା ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିବାକୁ ଦାବି ହୋଇଛି।

ରାଜ୍ୟର ଏଭଳି ଅନେକ ଜେଲ୍‌ର ସୁରକ୍ଷା ପ୍ରତି ଏବେ ବିପଦ ଦେଖାଦେଇଛି। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଜେଲ୍‌ ଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି।

(ବ୍ରହ୍ମପୁରରୁ ଫିନୋଜଙ୍କ ସହ ଜଗନ୍ନାଥ ସାହୁ ଓ ନୀଳଗିରିରୁ ବିଶ୍ୱମ୍ବର ଦାସଙ୍କ ରିପୋର୍ଟ)

 

You might also like