ଯଦୁପୁର ନାବାଳିକା ମାମଲାରେ ଏସଆଇଟି ତଦନ୍ତକୁ ଗ୍ରହଣ କରୁ ନାହାନ୍ତି ବାପାମା; ମାମଲା ସିଦ୍ଧ ହୋଇପାରିବ ତ ?
ଭୁବନେଶ୍ୱର: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ମାମଲାରେ କଣ ରହିଛି ଏସଆଇଟି ତଦନ୍ତର ଆଇନଗତ ଦିଗ ? ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସଂଗୃହୀତ ପ୍ରମାଣ ସବୁକୁ ତଦନ୍ତକାରୀ ସଂସ୍ଥା ଅଦାଲତରେ ସିଦ୍ଧ କରିପାରିବ ତ ?
ଯେହେତୁ ଏସ୍ଆଇଟି ଟିମ୍ ଏଯାଏଁ କୌଣସି ଗୋଟିଏ ବି ପ୍ରମାଣକୁ ନାବାଳିକା ପରିବାର ଲୋକଙ୍କୁ ଦେଖାଉନି କି ସେମାନଙ୍କ ସନ୍ଦେହ ଘେରରେ ଥିବା ଲୋକଙ୍କୁ ଧରୁନି, ତେଣୁ ଏସଆଇଟି ଉପରୁ ଭରସା ତୁଟାଇ ସିବିଆଇ ତଦନ୍ତ ଦାବିରେ ଅଟଳ ଅଛନ୍ତି ନାବାଳିକାର ବାପା-ମାଆ।
ବହୁଚର୍ଚ୍ଚିତ ମାମଲାକୁ ଆଇନଗତ ଭାବେ ସିଦ୍ଧ କରିବାକୁ ଏସଆଇଟି ଯେଉଁ ସବୁ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିଛି, ସେଗୁଡ଼ିକ କେତେ ଗ୍ରହଣୀୟ ଓ ସନ୍ତୋଷ ଜନକ ତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଏପର୍ଯ୍ୟନ୍ତ ଏସ୍ଆଇଟି ଯେତେସବୁ ପ୍ରମାଣ ଯୋଗାଡ଼ି କରିଛି କିମ୍ବା ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ମୃତା ନାବାଳିକାର ପଡ଼ୋଶୀ ସରୋଜ ସେଠୀକୁ ଗିରଫ କରିଛି ସେସବୁ ବିଶ୍ୱାସ କରିପାରୁ ନାହାନ୍ତି ନାବାଳିକାର ପରିବାର ଲୋକେ। ସରୋଜ ଦୋଷୀ ବୋଲି ପ୍ରମାଣ ସ୍ୱରୂପ ସରୋଜ ଘରୁ ଜବତ କରିଥିବା ରକ୍ତ ଭିଜା ଗାମୁଛା ଓ ସିମେନ୍ସ ଦାଗ ଥିବା ଫ୍ରକ୍ ଜବତ କିମ୍ବା ଗାଁ ପରିତ୍ୟକ୍ତ ପୋଖରୀରୁ ଖୋଜି ପାଇଥିବା ନାବାଳିକାର ଲେଗିନ୍ସ,ଏସବୁରୁ ଗୋଟିଏକୁ ବି ବିଶ୍ୱାସକୁ ନେଉ ନାହାନ୍ତି ନାବାଳିକାର ପରିବାର ବାପା-ମା।
ମାଆ ସୌଦାମିନୀ ବି ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେ କହିଛନ୍ତି ଯେ ଏସଆଇଟି ଯେଉଁ ସବୁ ପ୍ରମାଣ ପାଇଥିବା କଥା କହୁଛି, ଏସବୁକୁ ତାଙ୍କୁ କେବେ ଦେଖାଯାଇ ନାହିଁ କି ଚିହ୍ନାଯାଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ସ୍ଥାନରୁ ନାବାଳିକାର ଲେଗିନ୍ସ ମିଳିଛି, ତାହା ଏକ ପରିତ୍ୟକ୍ତ ପୋଖରୀ, ଯେଉଁଥିରେ ବର୍ଷତମାମ ଗାଁ ଲୋକେ ଅଦରକାରୀ ଜିନିଷ ହିଁ ପିଙ୍ଗିଥାନ୍ତି। ଏଥିସହ ସେମାନେ ଅଙ୍ଗତସ୍କରୀ ପାଇଁ ଯାହାଙ୍କୁ ସବୁ ହତ୍ୟାକାରୀ ଭାବେ ସନ୍ଦେହ କରୁଛନ୍ତି, ସେମାନଙ୍କୁ ଏସଆଇଟି ଧରୁନାହିଁ। ତେଣୁ ତଦନ୍ତକାରୀ ସଂସ୍ଥା ଉପରେ ତାଙ୍କର ଟିକେ ବି ଭରସା ନାହିଁ। ତେଣୁ ପୁଣିଥରେ ଆଜି ଘଟଣାର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛନ୍ତି ମାଆ ସୌଦାମିନୀ।
ସେପଟେ ସରୋଜକୁ ଧରି ଏସଆଇଟିର ମର୍ଡର ଡେମୋ ହେଉ କି ତଦନ୍ତ ପ୍ରକ୍ରିୟା, ଏସବୁ ଉପରେ ବି କଡ଼ା ଆପତ୍ତି ଉଠାଇଲେଣି ସରୋଜଙ୍କ ଓକିଲ ଚନ୍ଦ୍ର ବିଜୟୀ ମିତ୍ର। ଏନେଇ ସେ କହିଛନ୍ତି ଯେ ଏସଆଇଟି ଆଗରେ ସରୋଜ ଯାହା ସବୁ ସ୍ୱୀକାର କରିଛି, ତାହା ତାଙ୍କ କଷ୍ଟୁଡିରେ ଥିବାବେଳେ କହିଛି। ମାଜିଷ୍ଟ୍ରେଟ୍ଙ୍କ ଆଗରେ ୧୬୪ ବୟାନ ରେକର୍ଡ ହୋଇ ନାହିଁ। ତେଣୁ କୋର୍ଟଙ୍କ ସାମ୍ନାରେ ଏ ତଦନ୍ତର କୌଣସି ମାନେ ନାହିଁ।
ତେବେ ଗତକାଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଦୃଢ଼ୋକ୍ତି ପ୍ରକାଶ କରି ସ୍ପଷ୍ଟ ଭାବେ କହିଥିଲେ ଯେ ନାବାଳିକା ମାମଲାକୁ ସିଦ୍ଧ କରିବା ସହ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ଲାଗି ତାଙ୍କ ପାଖରେ ଦୁଇ ଶହ ପ୍ରତିଶତ ପ୍ରମାଣ ରହିଛି। ତାହାଲେ ଏଠି ପ୍ରଶ୍ନ- ଏସଆଇଟି ଯେଉଁ ସବୁ ପ୍ରମାଣ ଯୋଗାଡ଼ କରିଛି ତାହା କଣ ସହଜରେ ନ୍ୟାୟାଳରେ ଗ୍ରହଣୀୟ ହୋଇଯିବ ?
ତା ସହିତ ପ୍ରମାଣଗୁଡ଼ିକର ଲାବୋରେଟୋରୀ ରିପୋର୍ଟ ବି ଆସିନି, ତେଣୁ ନାବାଳିକା ହତ୍ୟାକାଣ୍ଡ ସହ ସେସବୁ ଜଡ଼ିତ କି ନୁହେଁ, ଏ ଅବସ୍ଥାରେ କୁହାଯାଇପାରିବନି।
ଏସବୁ ଦିଗକୁ ନେଇ କ’ଣ କହୁଛନ୍ତି ବରିଷ୍ଠ ଆଇନଜୀବୀ ତାହା ବି ଜାଣି ରଖନ୍ତୁ।
ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କ କହିବା କଥା ହେଲା ଯେ ଅଭିଯୁକ୍ତ କ୍ରାଇମ୍ ପାଇଁ ଗାମୁଛା ବ୍ୟବହାର କରିଥିଲା। ଯଦି ସେଥିରେ ବ୍ଲଡ୍ ଥିଲା କି ସିମେନ୍ ଥିଲେ ତେବେ ୫ ମାସ ହେଲାଣି ସେ ଗାମୁଛାକୁ ଧୋଇନଥିଲା କି ? ଯେମିତି ଅରୁଣ ବୋଥ୍ରା ପଚାରିଲେ ସେମିତି ସେ ଗାମୁଛାଟି ତାଙ୍କୁ ଦେଇ ଦେଲା। ତେଣୁ ଏସବୁ ବିଚିତ୍ର କଥା ଭଳି ଲାଗୁଛି। ବରିଷ୍ଠ ପୋଲିସ ଅଧିକାରୀ ଏହା ଜାଣିବା ଦରକାର ଯେ କଷ୍ଟୁଡିରେ ଥିବା ବ୍ୟକ୍ତି ଯାହା ସ୍ୱୀକାର କରିବ ତାହା ଉପରେ ଆଧାର କରି ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଇ ପାରିବ ନାହିଁ ବୋଲି ଧରଣୀଧର କହିଛନ୍ତି।
ଅନ୍ୟପଟେ ଆଇନଜୀବ ସୌରଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ପରିବାର ଲୋକେ ନାବାଳିକାର ପୋଷାକ ଚିହ୍ନିବା କଥା। ଏହାଛଡ଼ା ଯେଉଁ ସିମେନ୍ ମିଳିଛି ତାହା ମ୍ୟାନୁପୁଲେସନ ହୋଇଛି କି ନାହିଁ ତାହାକୁ ସନ୍ଦେହ ଘେରରେ ଆଣିବା ଦରକାର ବୋଲି ସେ କହିଛନ୍ତି।
ତେବେ କେତେ ସିଦ୍ଧ ହେଉଛି ଏହି ମାମଲା, ଆଉ ଅଭିଯୁକ୍ତ ସରୋଜ ସେଠୀ ଦୋଷୀ ସାବ୍ୟସ୍ତ ହେଉଛି ନା ନାହିଁ ଏବେ ତାଙ୍କୁ ହିଁ ଅପେକ୍ଷା।