ପିଇବା ପାଣିର ଶୁଦ୍ଧତା ଯାଞ୍ଚର ମାନକୁ ନେଇ ପ୍ରଶ୍ନ
ଅାପଣ ପିଉଥିବା ପାଣି କେତେ ବିଶୁଦ୍ଧ?
ଭୁବନେଶ୍ୱର: ଷ୍ଟାଣ୍ଡପୋଷ୍ଟରୁ ବୋହି ଚାଲିଛି ପାଣି। ପିଇବା ପାଇଁ ଉଦ୍ଦିଷ୍ଟ ପାଣିରେ ଗୋଡ଼ ଧୋଉଛନ୍ତି ଲୋକେ। କାରଣ, ପାଣିର ସ୍ୱଚ୍ଛତା ଉପରେ ସେମାନଙ୍କର ଭରସା ନାହିଁ। ସରକାର ଯୋଗାଉଛନ୍ତି ପାନୀୟ ଜଳ। କିନ୍ତୁ, ଏହା କେତେ ଶୁଦ୍ଧ, ତାକୁ ନେଇ ଉଠିଛି ପ୍ରଶ୍ନ। ଖାଲି ଭୁବନେଶ୍ୱରର ନୁହେଁ ବାଲେଶ୍ୱରର ଚିତ୍ର ବି ସମାନ। କୂଅ/ନଳକୂପର ପାଣି ହିଁ ଏଠିକାର ଲୋକଙ୍କର ଭରସା। କିନ୍ତୁ, ଏହି ପାଣିର ଶୁଦ୍ଧତା କେବେ ଯାଞ୍ଚ ହେବା କଥା ଲୋକେ ଜାଣି ନାହାନ୍ତି।
ପାଣିର ଶୁଦ୍ଧତା ଯାଞ୍ଚ କରିବା ସକାଶେ ୨୦୧୬ ଡିସେମ୍ବରରେ ରାଜ୍ୟ ସରକାର ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍ ସହ ଏମ୍ଓୟୁ କରିଥିଲେ। ୧୦ ବର୍ଷ ପର୍ଯ୍ୟନ୍ତ ଜଳ ନମୁନା ଯାଞ୍ଚ କରିବାକୁ ଏହି ସଂସ୍ଥାକୁ ପ୍ରାୟ ୬୭ କୋଟି ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଛି। ୨୦୧୭ ଅକ୍ଟୋବର ୨୨ରେ ମୁଖ୍ୟମନ୍ତ୍ରୀ ଏହି ସଂସ୍ଥାର ଲ୍ୟାବ୍କୁ ଉଦ୍ଘାଟନ ମଧ୍ୟ କରିଥିଲେ। ଏମ୍ଓୟୁ ଅନୁଯାୟୀ ସଂସ୍ଥା ୬ ମାସ ମଧ୍ୟରେ କାମ ଆରମ୍ଭ କରିବା କଥା। କିନ୍ତୁ, ପ୍ରାୟ ଦେଢ଼ବର୍ଷ ପରେ ୨୦୧୮ ମାର୍ଚ୍ଚ ୧୨ ତାରିଖରେ କାମ ଆରମ୍ଭ ହେଲା। ଏହା ଭିତରେ ୨୦୧୭ ନଭେମ୍ବର ୧୬ରେ ଜାରି ହୋଇଥିବା ପ୍ରେସ୍ ବିବୃତିରେ ସ୍ପେକ୍ଟ୍ରୋ ଏନାଲିଟିକାଲ୍ ଲ୍ୟାବକୁ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ୟୁରୋଫିନ୍ ସାଇଣ୍ଟିଫିକ୍ ଅଧିଗ୍ରହଣ କଲା ବୋଲି ଦର୍ଶାଯାଇଥିଲା।
ଏହା ସତ୍ତ୍ୱେ ଏବେ ବି ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍ ଓଡ଼ିଶାରେ କାର୍ଯ୍ୟରତ ଅଛି, ଯାହାକୁ ନେଇ ଉଠିଛି ପ୍ରଶ୍ନ। ଏମ୍ଓୟୁ ହୋଇଥିବା କମ୍ପାନୀକୁ ଅନ୍ୟ କମ୍ପାନୀ ଅଧିଗ୍ରହଣ କରିବା ପରେ କିଭଳି ପୁରୁଣା ସଂସ୍ଥା କାମ କରୁଛି? ଏନେଇ ଅନୁଧ୍ୟାନ କରାଯିବ ବୋଲି ବିଭାଗୀୟ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି। ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବର ଓଡ଼ିଶା କର୍ତ୍ତୃପକ୍ଷ ମଧ୍ୟ ଅଧିଗ୍ରହଣକୁ ସ୍ୱୀକାର କରିଛନ୍ତି। ମାତ୍ର, ସେମାନେ ବେଶ୍ ଭଲଭାବେ ଦାୟିତ୍ୱ ନିର୍ବାହ କରୁଥିବା ସୂଚନା ଦେଇଛନ୍ତି।
ଅମୃତ ଯୋଜନାରେ ରାଜ୍ୟର କଟକ, ଭୁବନେଶ୍ୱର ସମେତ, ବ୍ରହ୍ମପୁର, ରାଉକେଲା, ପୁରୀ, ବାଲେଶ୍ୱର, ସମ୍ବଲପୁର, ବାରିପଦା ଓ ଭଦ୍ରକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଯୋଜନା ହୋଇଥିଲା। ଯୋଜନା ଅନୁଯାୟୀ ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍ ଏସବୁ ସହରରେ ଜଳର ମାନ ପରୀକ୍ଷା କରିବ। ରାଜ୍ୟ ସରକାରଙ୍କର ମଧ୍ୟ ଏକ ବିଜ୍ଞାନାଗାର ରହିଛି। ବୋଧହୁଏ ଏହା ଉପରେ ସରକାରଙ୍କର ଭରସା ନାହିଁ। ତେଣୁ ବେସରକାରୀ ସଂସ୍ଥାକୁ ଦିଆଯାଇଛି ଦାୟିତ୍ୱ। ତେବେ ଏହା ପଛରେ କିଛି ଭିତିରି ଉଦ୍ଦେଶ୍ୟ ରହିଛି କି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।