ପରୀକ୍ଷା ଆରମ୍ଭର ୧ ଘଣ୍ଟା ମଧ୍ୟରେ OTET ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ରାଜ୍ୟରେ Odisha Teacher Eligibility Test(OTET)ର ପ୍ରଥମ ସିଟିଂ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଥମ ସିଟିଂର ଡି ସେଟ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୮ଟା ସମୟରେ ପରୀକ୍ଷା ଆରମ୍ଭ ହୋଇ ଥିବାବେଳେ ଏହାର ୧ ଘଣ୍ଟା ନପୁରୁଣୁ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି।

ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି। ଜଣେ ପରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ରର ଫଟୋ ଉଠା ଯାଇଥିବା ଏକ ମୋବାଇଲ ଫୋନ୍‌ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜବତ କରାଯାଇଥିଲା। ଏନେଇ ଉକ୍ତ ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତିଲେବଣୀ ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ପରୀକ୍ଷାର୍ଥୀଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ୍‌ରୁ ପ୍ରଶ୍ନପତ୍ର ଭାଇରାଲଲ୍‌ ହୋଇଛି ନା ଅନ୍ୟ କୌଣସି ମୋବାଇଲ୍‌ରୁ ଏହା ଭାଇରାଲ୍‌ ହୋଇଛି ତାହା ଜଣାପଡ଼ି ନାହିଁ। ଘଟଣାର ଅନୁଧ୍ୟାନ ପରେ ଏହା ଜଣାପଡ଼ିବ। ଘଟଣାକୁ ନେଇ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଏକ ମୋବାଇଲ ଜବତ ହୋଇଛି ଓ ଏହାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି।

ଅନ୍ୟପକ୍ଷେ, ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ  ଖଣ୍ଡନ ବୋର୍ଡ ସଭାପତି ରାମାଶିଷ ହାଜରା ଖଣ୍ଡନ କରିଛନ୍ତି। ସୂଚନାଥାଉ କି, ଆଜି ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହୋଇ  ସକାଳ ସାଢ଼େ ୧୦ଟାରେ ସରିଥିଲା। ପୁଣି ଦ୍ୱିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଛି ଓ ଏହା ଦିନ ସାଢ଼େ ୨ଟା ଯାଏ ଚାଲିବ। ରାଜ୍ୟର ୪୯୧ଟି କେନ୍ଦ୍ରରେ ୧ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

କରୋନା କାଳରେ ପରୀକ୍ଷା ହେଉଥିବାରୁ ପରୀକ୍ଷା କେନ୍ଦ୍ର ଭିତରେ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ ହୋଇଛି। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହାସହ ପରୀକ୍ଷା କେନ୍ଦ୍ର ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର ଲଗାଇ ଯିବାର ବ୍ୟବସ୍ଥା ହୋଇଛି। ସେହିପରି ସିଟ୍ ଆରେଞ୍ଜମେଣ୍ଟରେ ଆବଶ୍ୟକ ଦୂରତା ଅବଲମ୍ବନ କରାଯାଇଛି ବୋଲି ଜଣାପଡ଼ିଛି। ପରୀକ୍ଷା ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିଲାଗି କଡ଼ା ପଦକ୍ଷେପ ନିଆଯାଇ ଥିବାବେଳେ ପ୍ରଥମ ସିଟିଂ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

You might also like