ବାହା ହେବା ପାଇଁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ ବର

ରାଉରକେଲା: ଜୁଲାଇ ଆରମ୍ଭରୁ ମହାମାରୀ କରୋନା ଭୟଙ୍କର ରୂପ ନେଲାଣି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ କଟକଣା ଜାରି କରାଯାଇଛି।

ପୂର୍ବରୁ ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ଏବେ ରାଉରକେଲାକୁ ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ। ଏ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାର ଲୋକେ ରାଉରକେଲା ଆସିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ। ଏ ନେଇ ଗତକାଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ।

ଏହି ସବୁ ଜିଲ୍ଲା ଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି ୫ ଘଣ୍ଟା ପାଇଁ ଗଲେ ବି ସେଠାରୁ ରାଉରକେଲାକୁ ଫେରିଲା ପରେ କ୍ୱାରେଣ୍ଟିନ୍‌ରେ ରହିବେ। ରେଜିଷ୍ଟ୍ରେସନ ପରେ ୧୪ ଦିନ ପାଇଁ କ୍ୱାରେଣ୍ଟିନ୍‌ରେ ରହିବେ। ସେହିପରି ଏହି ୧୪ ଜିଲ୍ଲାରୁ ୭୨ ଘଣ୍ଟା ପାଇଁ ରାଉରକେଲା ଆସିଲେ କ୍ୱାରେଣ୍ଟିନ୍‌ ଅନାବଶ୍ୟକ। ତେବେ ବାହାର ଜିଲ୍ଲାରୁ ଆସୁଥିବା ଲୋକେ କାହା ସହ ନ ମିଶି ନିଜ କାମ ସାରି ଫେରି ଯିବାକୁ କୁହାଯାଇଛି।

You might also like