ଶାସନ କଳକୁ ନାକେଦମ କରିଛି କ୍ୱାରେଣ୍ଟିନ କେଁ: ସେଣ୍ଟର ପରିଚାଳନା ନେଇ ଟାର୍ଗେଟ୍ କଲେ ବିରୋଧୀ

ଭୁବନେଶ୍ୱର: ଶାସନ କଳକୁ ନାକେଦମ କରିଛି କ୍ୱାରେଣ୍ଟିନ ସେଣ୍ଟର କେଁ। କେଉଁଠି ଖାଇବା ପିଇବା ଅବ୍ୟବସ୍ଥା ଅଭିଯୋଗରେ ପ୍ରବାସୀ ରାସ୍ତାକୁ ଓହ୍ଲାଉଛନ୍ତି ତ ଆଉ କେଉଁଠି ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ମୁଣ୍ଡବ୍ୟଥା ବଢ଼ାଇଛି। ଏପଟେ ଏଯାଏଁ ୩ ଲକ୍ଷ ପ୍ରବାସୀ ଆସି ସାରିଥିବା ବେଳେ ଟ୍ରେନ୍, ବିମାନ ଚଳାଚଳ ଦୃଷ୍ଟିରୁ ଆଗକୁ ସଂଖ୍ୟା ଆହୁରି ବଢ଼ିବ। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ମାସେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ। ସେପଟେ ବିରୋଧୀ କ୍ୱାରେଣ୍ଟିନ୍ ସେଣ୍ଟରର ପରିଚାଳନାକୁ ନେଇ ସରକାରଙ୍କୁ ଘେରିଛନ୍ତି।

ଆଜି ସୁରତ ଓ ଆନ୍ଧ୍ରରୁ ଫେରିଥିବା କିଛି ପ୍ରବାଶୀ ଇରାସ୍ତା ଅବରୋଧ କରିଥିଲେ। ଏମାନେ ଗଂଜାମ ଓ ନୂଆପଡ଼ା ଯିବା କଥା ହେଲେ କେଉଁଠି ଓହ୍ଲାଇବେ ସେନେଇ ପ୍ରଶାସନ ନିକଟରେ ଖବର ନଥିଲା। ଭଦ୍ରକରେ ଟ୍ରେନ୍ ଅଟକିବା ପରେ ସେଠାରେ ଓହ୍ଲାଇ ପଡ଼ିଥିଲେ ଏହି ପ୍ରବାସୀ ଓଡ଼ିଆ। ସେମାନଙ୍କୁ ଜିଲ୍ଲା ପ୍ରଶାସନ ଭଦ୍ରକ କଲେଜରେ ରଖିଥିଲା। ହେଲେ ଖାଇବାପିଇବା ଠିକରେ ମିଳୁନଥିବା ଅଭିଯୋଗରେ ଏମାନେ ଆଜି ସକାଳେ ରାସ୍ତା ଅବରୋଧ କରିଥିଲେ।

 

ସେହିଭଳି ନିଜର କରୋନା ଟେଷ୍ଟ କରିବାକୁ ତିହିଡ଼ିରେ ଅନଶନରେ ବସିଥିଲେ ପ୍ରବାସୀ ଓଡ଼ିଆ। ଏମାନେ ବି ଫେରିଥିଲେ ସୁରତରୁ। ତିନିଜଣ ଅସୁସ୍ଥ ହେବା ପରେ ସମସ୍ତଙ୍କ ସ୍ୱାବ ନେବାକୁ ଦାବି କରୁଥିଲେ ମଧ୍ୟ କେହି ନ ଶୁଣିବାରୁ ଅନଶନ ଏମାନେ କରିଥିଲେ।

କେବଳ ଗଞ୍ଜାମ ନୂଆପଡ଼ା ପ୍ରବାସୀ ନୁହଁନ୍ତି ଅବ୍ୟବସ୍ଥା ନେଇ ରାଜ୍ୟର କ୍ୱାରେଣ୍ଟିନ ସେଣ୍ଟରଗୁଡ଼ିକରୁ ଆସୁଥିବା ଅଭିଯୋଗର ଫର୍ଦ୍ଦ ବେଶ ଲମ୍ବା।

ଗଞ୍ଜାମ କବିସୂର୍ଯ୍ୟନଗର ସୁନାରୀଝୋଳା କ୍ୱାରେଣ୍ଟିନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ମଧ୍ୟ ଛୁଆ ପିଲା ଧରି ରାସ୍ତାରେ ବସିଥିଲେ। ସେଣ୍ଟରରେ ସରପଞ୍ଚ, ସଫାସୁତୁରା କରୁନଥିବାରୁ ପାଟିତୁଣ୍ଡ କରି ଗାଁକୁ ବାହାରିଥିଲେ ୭୦ ଜଣ ପ୍ରବାସୀ।

ସେହିଭଳି ଗଂଜାମ ଭଞ୍ଚନଗର ଗାଲେରୀ ସେଣ୍ଟରରେ ରହୁଥିବା ସୁରତ ଓ ତାମିଲନାଡୁ ଫେରନ୍ତା ଠିକ ଭାବେ ଖାଇବା ପିଇବା ଦିଆଯାଉ ନଥିବା ଅଭିଯୋଗ କରି ପ୍ରତିବାଦ କରିଛନ୍ତି।

ବାଲେଶ୍ୱର ନୀଳଗିର ବରହମପୁର କ୍ୱାରେଣ୍ଟାଇନ ସେଣ୍ଟରେ ଯୁବତୀଙ୍କୁ ଦୁଷ୍ମର୍ମ ଉଦ୍ୟମ ଘଟଣା ଆସିବା ପରେ ଚିନ୍ତାରେ ପଡ଼ିଯାଇଛି ପ୍ରଶାସନ।

ଏବେସୁଦ୍ଧା ରାଜ୍ୟକୁ ଫେରିଲେଣି ପ୍ରାୟ ୩ ଲକ୍ଷ ପ୍ରବାସୀ। ପ୍ରତିଦିନ ରାଜ୍ୟକୁ ହଜାର ହଜାର ପ୍ରବାସୀ ଫେରୁଥିବାରୁ ଆଗାମୀ ୧୫ ଦିନରୁ ମାସେ ଯାଏ ଚ୍ୟାଲେଞ୍ଜ ଆହୁରି ବଢ଼ିବ ବୋଲି ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ କ୍ୱାରେଣ୍ଟିନ ସେଣ୍ଟରରେ ପରିଚାଳନାଗତ ତ୍ରୁଟିକୁ ନେଇ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ସ୍ଥିତି ଅସମ୍ଭାଳ ହେଲାଣି ସରକାର ହାତ ଟେକି ଦେଲେଣି। ଲୋକଙ୍କୁ ୨ ହଜାର ଦେବେ ବୋଲି କହିଲେ କିନ୍ତୁ କେହି ଟଙ୍କା ପାଉନାହାନ୍ତି ବୋଲି ନିରଞ୍ଜନ କହିଛନ୍ତି। ସେହିଭଳି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି, ରାଜ୍ୟ ସରକାର କ୍ୱାରେଣ୍ଟିନ୍‌ ପରିଚାଳନା କରୁଛନ୍ତି। ପରିଚାଳନାରେ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଦେଖାଦେଉଛି ବୋଲି ହରିଚନ୍ଦ କହିଛନ୍ତି। ଅନ୍ୟପଟେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କିନ୍ତୁ ସବୁ ଠିକ୍ ଅଛି କାଁ ଭାଁ ବିଶୃଙ୍ଖଳା ଦେଖାଯାଉଛି ବୋଲି କହିଛନ୍ତି।

You might also like