ପ୍ରତିକାର ପାଇଁ ଡାକ୍ତରଖାନା ନଯାଇ ଚାଲିଛି ଝଡ଼ାଫୁଙ୍କା ଓ ପୂଜାପାଠ

କଲ୍ୟାଣସିଂହପୁର(ମାଉଡି ବାରିକ): ଗାଁରେ ବ୍ୟାପିଛି ମିଳିମିଳା । ହେଲେ ପ୍ରତିକାର ପାଇଁ ଲୋକମାନେ ଡାକ୍ତରଖାନା ନ ଯାଇ ଯାଉଛନ୍ତି ଗୁଣିଆ, ପୂଜକଙ୍କ ପାଖକୁ। ଔଷଧ ଦେବା ବଦଳରେ କରୁଛନ୍ତି ଝଡ଼ାଫୁଙ୍କା ଓ ପୂଜାପାଠ । ଶିକ୍ଷା ଓ ବିଜ୍ଞାନର ବିକାଶ ପରେ ବି ଏଠି ଲୋକଙ୍କ ମନରୁ ଦୂର ହୋଇନି ଏମିତି ଅନ୍ଧବିଶ୍ୱାସ। ଡାକ୍ତରୀ ଚିକିତ୍ସା ଏମାନଙ୍କ ବିଶ୍ୱାସ ଜିତି ପାରିନି ।  ଯେତେ ସୁଯୋଗ ଦେଲେ, ସଚେତନ କରାଇଲେ  ବି ଲୋକେ ଏଠି ପାରମ୍ପରିକ ବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ‌ ରାବୁଗୁଡ଼ା ଗ୍ରାମରେ ପ୍ରାୟ ଏକ ମାସ ହେଲା ବ୍ୟାପିଲାଣି ମିଳିମିଳା। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ସଚେତନତା ଅଭାବରୁ ଏହା ସାରା ଗାଁରେ ବ୍ୟାପି ଯାଇଛି। ହେଲେ ଗାଁ ଲୋକେ  ରୋଗର ପ୍ରତିକାର ପାଇଁ ଚିକିତ୍ସା ପରିବର୍ତ୍ତେ ପୂଜାପାଠ ଓ ଝଡ଼ାଫୁଙ୍କାକୁ ଆପଣାଇଛନ୍ତି। ସଚେତନତାର ଅଭାବ ହେଉ କି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଏଠାକାର ଆଦିବାସୀ ଲୋକେ କିନ୍ତୁ ଏମିତି ଅନ୍ଧବିଶ୍ୱାସ ଉପରେ ଅଧିକ ଅସ୍ଥା ରଖୁଛନ୍ତି। ଝଡ଼ାଫୁଙ୍କା କରି ରୋଗୀଙ୍କୁ ଚେରମୂଳି ଔଷଧ ଖାଇବାକୁ ଦେଉଛନ୍ତି।

ପଢନ୍ତୁ: ୭୬ ହଜାର ଜମାକାରୀ ଫେରି ପାଇବେ ଟଙ୍କା

ଜାଣିବାକୁ ମିଳିଛି,  ପ୍ରାୟ ମାସ ହେବ ରାବୁଗୁଡ଼ା ଗାଁରେ ଏହି ରୋଗ ବ୍ୟାପିଛି।  ଅଧିକାଂଶ ଶିଶୁ, ବୃଦ୍ଧ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତି ଘରେ ମିଳିମିଳି ରୋଗୀ ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରୁ ଅନେକ ଅବଶ୍ୟ ଭଲ ହୋଇଗଲେଣି। ତଥାପି ଗାଁରେ ଏବେ ବି ୧୨ ଜଣ ମିଳିମିଳା ଆକ୍ରାନ୍ତ ରୋଗୀ ଅଛନ୍ତି। ଆଉ ଏବେ ବି ସେମାନେ ଡାକ୍ତରଖାନା ନ ଯାଇ, ଔଷଧ ନ ଖାଇ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପୂଜାପାଠ କରୁଛନ୍ତି।

ଏଠି କହିରଖିବୁ, ଆଦିବାସୀ ଅଧ୍ୟୁଷିତ ଏହି ରାବୁଗୁଡ଼ା ଗାଁରେ କାହିଁ କେଉ ଯୁଗରୁ ଲୋକେ ଗୁଣିଗାରେଡି, ଚେରମୂଳି ଉପରେ ବିଶ୍ୱାସ କରି ଆସୁଛନ୍ତି। କୌଣସି ରୋଗ ହେଲେ ସେମାନେ ଡାକ୍ତରଙ୍କ ପରିବର୍ତ୍ତେ ଖୋଜିଥାନ୍ତି ଗୁଣିଆଙ୍କୁ  । ତେବେ ସବୁଠାରୁ ଦୁଃଖର କଥା, ଏପର୍ଯ୍ୟନ୍ତ ଗାଁରେ କୌଣସି ଡାକ୍ତରୀ ଟିମ୍ ପହଞ୍ଚି ନାହିଁ। କଲ୍ୟାଣସିଂହପୁର ସଦର ମହକୁମାଠାରୁ ରାବୁଗୁଡ଼ା ଗାଁର ଦୂରତା ମାତ୍ର  ୨ କିମି । ଏତେ ପାଖରେ  ଡାକ୍ତରଖାନା ଥିଲେ ମଧ୍ୟ ଡାକ୍ତରୀ ଟିମ୍‌ ଆଜିଯାଏ ଆଦିବାସୀ ଅଧ୍ୟୁଷିତ ଏହି ଗାଁକୁ ଆସି ନାହାଁନ୍ତି।  ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଆଜି ସକାଳୁ ଏକ ଡାକ୍ତିରୀ ଟିମ୍‌ ଓ ପ୍ରଶାସନିକ ଟିମ ଗାଁକୁ ଯାଇଛି।

 

You might also like