ବିକାଶର ବହୁ ଦୂରରେ ପୁତୁଡି ଜଳପ୍ରପାତ

କନ୍ଧମାଳ: ଶୀତ ବଢ଼ିବା ସାଙ୍ଗକୁ କନ୍ଧମାଳ ଜିଲ୍ଲାରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି। ହେଲେ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳର ବିକାଶ ହୋଇନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେବଳ ଫଳକ ଲଗାଇ ପର୍ଯ୍ୟଟନ ବିଭାଗ ଚୁପ୍ ବସିଥିବାବେଳେ ଏହାର ବିକାଶ ଲାଗି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଶୀତୁଆ ସକାଳ ସାଙ୍ଗକୁ ପ୍ରକୃତିର ମନୋରମ ଦୃଶ୍ୟ। କୁହୁଡ଼ିର ଆସ୍ତରଣରେ ଛାଇ ଯାଇଛି ପୂରା ପରିବେଶ। କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। ସହର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ପୁତୁଡି ଜଳପ୍ରପାତ ରହିଛି।

ପ୍ରାକୃତିକ ପରିବେଶ ସାଙ୍ଗକୁ  ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ହେଲେ ଗମନାଗମନର ସୁବିଧା ନଥିବାରୁ ଏଠାରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ କମୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ଦଡ଼କୀ ଗ୍ରାମ ଠାରୁ ଜଳପ୍ରପାତ ଯାଏ ୭ରୁ ୮ କିଲୋମିଟର ରାସ୍ତା ଖାଲ ଖମା ସହ ପଥରରେ ଭର୍ତ୍ତି। ଏଣୁ ପର୍ଯ୍ୟଟକମାନେ ଜଳପ୍ରପାତକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ପୁତୁଡି ପର୍ଯ୍ୟଟନୀ ସ୍ଥଳର ବିକାଶ ଲାଗି ସ୍ଥାନୀୟ ବାସିନ୍ଦା ସମେତ ପର୍ଯ୍ୟଟକ ବାରମ୍ବାର ଦାବି କରି ଆସୁଛନ୍ତି।  ଏହାର ବିକାଶ ଲାଗି ଜିଲ୍ଲା ପର୍ଯ୍ୟଟନ ବିଭାଗ ସରକାରଙ୍କୁ ଚିଠି ଲେଖିଛି। ହେଲେ ସବୁ ନାଲି ଫିତା ତଳେ ପଡ଼ିରହିଥିବା ଅଭିଯୋଗ ହୋଇଛି।

You might also like