ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନରେ ପରୀକ୍ଷାର୍ଥୀଙ୍କ ଉତ୍ପାତ

ଭୁବନେଶ୍ୱର: ସେନାରେ ଭର୍ତ୍ତି ହେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି।

ବିହାର, ଉତ୍ତରପ୍ରଦେଶରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ଗତକାଲି ଷ୍ଟେସନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଜବରଦସ୍ତ ପଶି ଯାଇଥିଲେ। ଏପରିକି ଟ୍ରେନ୍‌କୁ ଅଟକାଇବା ପାଇଁ ୫ ଥର ଚେନ୍‌ ପୁଲିଂ ମଧ୍ୟ କରିଥିଲେ। ଯେଉଁ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନରେ ମାତ୍ର ୫ ମିନିଟ୍‌ ଅଟକି ଥାନ୍ତା ସେଇ ଟ୍ରେନ୍‌ ପାଖାପାଖି ଘଣ୍ଟାଏ ଅଟକି ରହିଥିଲା। ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ଜିଆର୍‌ପି ଓ ଆରପିଏଫ୍‌କୁ ମଧ୍ୟ ନାକେଦମ୍‌ ହେବାକୁ ପଡ଼ିଥିଲା।

ଘଟଣାସ୍ଥଳରେ ଜିଆର୍‌ପି ଓ ଆରପିଏଫ୍ ପହଞ୍ଚିି ପରୀକ୍ଷାର୍ଥୀମାନଙ୍କୁ ଘଉଡାଇଥିଲେ। ତେବେ କିଛି ପରୀକ୍ଷାର୍ଥୀ ଲଗେଜ୍‌ ଭ୍ୟାନ୍‌ ଭିତରକୁ ପଶି ଯାଇଥିଲେ। ଏମିତି ଲାଗୁଥିଲା ସତେ ଯେମିତି ପୁରା ଟ୍ରେନ୍‌କୁ ପରୀକ୍ଷାର୍ଥୀମାନେ କବ୍‌ଜା କରି ନେଇଥିଲେ।

କେବଳ ସଂରକ୍ଷିତ (Reserved) ବଗି ନୁହେଁ ଜେନେରାଲ ବଗି, ଲଗେଜ ଭ୍ୟାନ୍ ମଧ୍ୟ ପରୀକ୍ଷାର୍ଥୀଙ୍କ କବଳରେ ରହିଥିଲା। ପରୀକ୍ଷାର୍ଥୀମାନେ ଯାତ୍ରୀମାନଙ୍କୁ ହଇରାଣ କରିବା ଅଭିଯୋଗ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଗତ ତିନି ଦିନ ତଳେ ସେନାରେ ଭର୍ତ୍ତି ହେବା ପାଇଁ ୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ୧୨୦ ବାଟାଲିୟନକୁ ପରୀକ୍ଷା ଦେବାକୁ ଆସିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ୍‌ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି।

ତେବେ ଏହି ଯୁବକମାନଙ୍କ ଉତ୍ପାତ କେବଳ ଷ୍ଟେସନରେ ଦେଖିବାକୁ ମିଳିନାହିଁ ବରଂ ପାର୍କରେ ମଧ୍ୟ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରର ଆଇଜି ପାର୍କରେ ଗତକାଲି କିଛି ପିଲା ଜନ୍ମଦିନ ପାଳନ କରୁଥିବା ବେଳେ ସମ୍ପୃକ୍ତ ଯୁବକମାନେ ସେମାନଙ୍କୁ ହଇରାଣ କରିବା ସହ ଯୁବତୀମାନଙ୍କ ସହ ସେମାନଙ୍କର କଥା କଟାକଟି ହୋଇଥିଲା। ତେବେ ଏହାକୁ କିଛି ସ୍ଥାନୀୟ ଲୋକ ବିରୋଧ କରିବାରୁ ସେମାନେ ଏହି ଯୁବକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ।

You might also like