ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ କଟକଣା : ବାହାର ଜିଲ୍ଲାର ଲୋକେ କରିପାରିବେନି ଶବଦାହ

ମହୋଦଧିରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନକୁ ମଧ୍ୟ ବାରଣ

  • ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ
  • କୋଭିଡରେ ମୃତ ବ୍ୟକ୍ତିଙ୍କ ଶବଦାହ ଉପରେ କଟକଣା
  • ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦିକାର୍ଯ୍ୟରେ ମଧ୍ୟ ବାହାର ଜିଲ୍ଲା ଲୋକଙ୍କ ଲାଗି ରୋକ୍

ପୁରୀ : ମହାମାରୀର ଭୟାବହତା ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ କଟକଣା ଲାଗୁ । ଆଜିଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ପୁରୀ ଜିଲ୍ଲାର ଲୋକେ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟଙ୍କ ଶବଦାହ କରିପାରିବେ । କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଅସ୍ଥି ବିସର୍ଜନ କରିପାରିବେ ନାହିଁ । ସେହିଭଳି ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ଏବେ ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

ସେହିପରି ଆଜିଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ । କୋଭିଡକୁ ଦେଖି ମେ ୧୫ ତାରିଖ ଯାଏ ଏହି ନିୟମ ଜାରି ରହିବ । ଏହି ସମୟରେ କିନ୍ତୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଯଥାରୀତି ଚାଲିଛି । କରୋନାର ଦ୍ୱିତୀୟ ଲହରରେ ବହୁ ସେବାୟତ, ଶ୍ରୀମନ୍ଦିର କର୍ମଚାରୀମାନେ ଆକ୍ରାନ୍ତ ହୋଇଛନ୍ତି । ଆଗକୁ ଆହୁରି ସମସ୍ୟା ହୋଇପାରେ । ତେଣୁ ଶ୍ରୀଜିିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ସେପଟେ ଆସନ୍ତା ୧୫ ତାରିଖରୁ ଶ୍ରୀଜିଉଙ୍କ ୨୧ ଦିନିଆ  ଚନ୍ଦନଯାତ୍ରା ହେବାର କଥା । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ନା ଗତ ବର୍ଷ ପରି ଏଥର ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ହେବ, ସେ ସଂପର୍କରେ ଆସନ୍ତା ୬ ତାରିଖରେ ଏକ ବୈଠକ କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସମସ୍ତ ସହରାଞ୍ଚଳରେ ଲାଗିଥିବା ସପ୍ତାହାନ୍ତ ସଟଡାଉନ ଶେଷ ହୋଇଛି । ଫଳରେ ଆଜି ସକାଳୁ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରା ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି ।

 

 

 

 

 

You might also like