ନୂଆ ରୂପରେ ଲୋକାର୍ପିତ ହେଲା ପୁରୀ ସ୍ୱର୍ଗଦ୍ୱାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଶନିବାର ଏହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ କରାଯାଇଛି । ସ୍ୱର୍ଗଦ୍ୱାରର ଶବଦାହ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ର୍ନିମାଣ କରାଯାଇଛି । ଏକକାଳୀନ ଶବଦାହ ପାଇଁ ୨୮ଟି ପିଣ୍ଡି ରହିଛି । ଉପଯୁକ୍ତ ପରିବେଶ ପାଇଁ ଶବଦାହ କେନ୍ଦ୍ରର ଚତୁଃପାର୍ଶ୍ୱକୁ ଗ୍ରୀନେରୀ କରାଯାଇଛି । ଶବଦାହ ସମୟରେ ପରିବେଶ ସନ୍ତୁଳନ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ତେଲେଙ୍ଗାନା ମହାପ୍ରସ୍ଥାନମ ଢାଞ୍ଚାରେ ର୍ନିମାଣ କରାଯାଇଛି ଏହି ସ୍ୱର୍ଗଦ୍ୱାର ।

୨୦୧୯ ନଭେମ୍ବର ପହିଲାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱର୍ଗଦ୍ୱାରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲେ । ହାଇଦ୍ରାବାଦର ଫୋଏନିକ୍ସ ଫାଉଣ୍ଡେସନ ସହାୟତାରେ ସ୍ୱର୍ଗଦ୍ୱାରରେ ଶବଦାହଠୁ ଆରମ୍ଭ କରି ଶବବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହେଇଥିଲା ।

ଏଥର ସବୁ ଋତୁରେ ସୁବିଧାରେ ଶବଦାହ କରାଯାଇପାରିବ । ଶବବାହକମାନଙ୍କ ପାଇଁ ବିଶ୍ରାମ କକ୍ଷଠୁ ଆରମ୍ଭ କରି ବ୍ୟାପକ ସୁବିଧା କରାଯାଇଛି । ବୃକ୍ଷରୋପଣ, ଅସ୍ଥି ସଂଗ୍ରହ ଓ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ତେବେ ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ ଭଙ୍ଗାଯାଇଥିଲା । ୧୬୦୦ବର୍ଗ ଫୁଟ ଅଞ୍ଚଳରେ ଏହି ସମାଧିସ୍ଥଳ ରହିଥିଲା । ୨୦୧୫ ଜାନୁୟାରୀ ମାସରେ କୋର୍ଟ ଏହି ଅନଧିକୃତ ନିର୍ମାଣକୁ ତୁରନ୍ତ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

You might also like