ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗର, ବମିଖାଲ୍ ଓ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କୋଭିଡ୍-19 ଆକ୍ରାନ୍ତ କେମିତି ଏହି ରୋଗରେ ଆକ୍ରାନ୍ତ ହେଲେ ତାର ତଥ୍ୟ ଆଜି ଜଣାପଡ଼ିଛି। ଏହି ଆକ୍ରାନ୍ତମାନଙ୍କର ବାହାର ରାଜ୍ୟ ସହିତ ଲିଙ୍କ୍ ରହିଛି। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଏମ୍ସି (ଭୁବନେଶ୍ୱର ମହାନଗର ନିଗମ) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ପ୍ରଦିପ୍ତ ଦଳବେହେରାଙ୍କ ପରିବାର ମଧ୍ୟରୁ ଜଣେ କୋଲକାତା ଯାଇଥିଲେ। ସେଠି ସେ ୪ ଦିନ ପାଇଁ ରହିଥିଲେ। ଏହାପରେ ସେଠାରୁ ସେ ସଂକ୍ରମିତ ହୋଇ ଫେରିଥିଲେ। ତାଙ୍କ ସଂସ୍ପର୍ଶରେ ଆସିବାରୁ ପ୍ରଦୀପ୍ତ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ପରିବାର ବର୍ଗଙ୍କ ସହିତ ତାଙ୍କ ଘରେ ରହୁଥିବା ୫ ଜଣ ଭଡ଼ାଟିଆ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏବେ ସେମାନେ ଆଇସୋଲେସନ୍ରେ ଅଛନ୍ତି।
ସେହିଭଳି ବମିଖାଲରେ ଆକ୍ରାନ୍ତ ୩ ଭାଇଙ୍କ ବାପା ଭୋପାଳରେ ରହୁଥିଲେ। ଆଉ ଆଜି ସିଏ କୋଭିଡ-19 ପଜିଟିଭ୍ ଜଣାପଡ଼ିଛି। ବାପା କରୋନା ଆକ୍ରାନ୍ତ ହୋଇଥିବାରୁ ୩ ଭାଇଙ୍କୁ ଏହି ସଂକ୍ରମଣ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ।
ସେହିପରି ପୁରୀ ଦାନଗହିର ଅଞ୍ଚଳରେ ଜଣେ ବ୍ୟକ୍ତି ‘କରୋନା’ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିଲା। ସେ ଭୁବନେଶ୍ୱର ବିଜେବି ନଗର ସବ୍ ପୋଷ୍ଟ ଅଫିସ୍ର ଜଣେ କର୍ମଚାରୀ। ସେ କିଛି ଦିନ ତଳେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମ ସଭାରେ ଯୋଗଦେଇ ଘରକୁ ଫେରିଥିଲେ। ଘରକୁ ଆସିବା ପରେ ସେ କାର୍ଯ୍ୟରେ ଯୋଗଦେଇଥିଲେ। ଜଣେ ଡାକ କର୍ମଚାରୀ ହୋଇଥିବାରୁ ସେ ଗୌତମନଗର ଓ କୋର୍ଟ ଅଞ୍ଚଳରେ ଚିଠି ବାଣ୍ଟିଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେଲ୍ଫ ଆଇସୋଲେସନ୍ରେ ରହିବାକୁ ବିଏମ୍ସି କମିଶନର ଅନୁରୋଧ କରିଛନ୍ତି।
ତେବେ ଯେଉଁମାନେ ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଶୀଘ୍ର କ୍ୱାରେନଣ୍ଟାଇନ୍ରେ ରୁହନ୍ତୁ ବୋଲି ବିଏମ୍ସି କମିଶନର କହିଛନ୍ତି।
https://khabar.odishatv.in/odisha/one-asymptomatic-29-years-male-of-kalahandi-district-is-tested-positive-for-covid-19-today/166561/