ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଚିତାଲାଗି । ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଚିତା ଲାଗି ଅନୁଷ୍ଠିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣଚିତା ଲାଗି ହୋଇଥାଏ । ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ। ତାକୁ ପୁଣି ଥରେ ଲାଗି କରାଯାଏ॥
ଚିତାଲାଗି ଅମାବାସ୍ୟାରେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଜ ଘରକୁ ବିଜେ କରିଥାନ୍ତି। ଏହା ପରେ ଶ୍ରୀଜିଉଙ୍କ ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀଜିଉଙ୍କର ଚିତା ଲାଗି କାର୍ଯ୍ୟ କରିଥାନ୍ତି । ତିନିଟି ସ୍ୱର୍ଣ୍ଣ ଚିତା ଶ୍ରୀଜିଉମାନଙ୍କ କପାଳର ଶୀର୍ଷ ଭାଗରେ ଲଗାଯାଇଥାଏ। ଓଷୁଅରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ।
ଶ୍ରୀବଳଭଦ୍ରଙ୍କ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରି ପଟେ ପାଞ୍ଚଟି ବେଢାରେ ଲାଗିଛି ମାଣିକ, ହୀରା, ମର୍କତ ଓ ନୀଳ ପଥର। ସେହିପରି ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ରହିଛି ହୀରା । ଚିତାର ୭ଟି ବେଢ଼ରେ ମାଣିକ, ହୀରା, ପାନ୍ନା ଖଞ୍ଜା ହୋଇଛି । ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ରହିଛି । ତାକୁ କୁହାଯାଏ ବ୍ରହ୍ମଜ୍ୟୋତି ହୀରା । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ ପଥର ରହିଛି ।