ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି

ପୁରୀ:  ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ। ଅର୍ଥାତ ସପ୍ତାହକ ସାତ ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଆଜି ସୂଚନା ଦେଇଛନ୍ତି। ଏଣିକି ସକାଳ ୬ଟାରୁ ନିଶ୍ଚିତ ଭାବେ ଦର୍ଶନ ଆରମ୍ଭ ହେବ। କେବଳ ପୁରୀବାସୀ ନୁହଁନ୍ତି, ସମସ୍ତେ ସକାଳ ୬ରୁ ଦର୍ଶନ କରିପାରିବେ। ସେହିଭଳି ଦୀର୍ଘ ଦିନ ପରେ ଆନନ୍ଦବଜାରରେ ମହାପ୍ରସାଦ ସେବନ ନେଇ ମଧ୍ୟ ଭକ୍ତଙ୍କୁ ଅନୁମତି ମିଳିବ।

ସେପଟେ ଛେପ ପକାଇଲେ ୧ ହଜାର ଫାଇନ ଆଦାୟ ହେବ ଏବଂ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ୱାଡ୍ କାର୍ଯ୍ୟ କରିବ। ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବାକୁ ପଦକ୍ଷେପ ନିଆଯିବ। ସପ୍ତାହକୁ ତିନି ଦିନ ରାତିରେ ମନ୍ଦିର ପରିସର ସାନିଟାଇଜ୍ ହେବ ବୋଲି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଏହି ବୈଠକରେ ପୁରୀ ଜିଲ୍ଲାପାଳ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ପ୍ରମୁଖ ଯୋଗ ଦେଇଥିଲେ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୯ ମାସ ପାଇଁ  ପୁରୀ ଶ୍ରୀମନ୍ଦିର ସାଧାରଣ ଦର୍ଶନ ଲାଗି ବାରଣ କରାଯାଇଥିଲା। ଡିସେମ୍ୱର ୨୩ରୁ ସେବାୟତଙ୍କ ପରିବାର ଓ ପୁରୀ ବାସିନ୍ଦାଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିଲା। ସେହିପରି ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିଲା। ସେତେବେଳେ ଗାଇଡ୍‌ଲାଇନ୍ ଅନୁସାରେ ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଓ ସାନିଟାଇଜର ଲଗାଇବା ଜରୁରୀ, ଜିଲ୍ଲା ବାହାର ଲୋକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବ, ୬୫ ବର୍ଷରୁ ଅଧିକ ବୟସ୍କ, ପିଲାଙ୍କୁ ନଆସିବାକୁ ଅନୁରୋଧ କରାଯାଇଥିଲା। କରୋନା ପ୍ରକୋପ କମିବା ଓ ଟିକାକରଣ ଆରମ୍ଭ ହେବା ପରେ ସ୍ଥିତି ସ୍ୱାଭାବିକ ହେବାରୁ କଟକଣା କୋହଳ କରାଯାଇଛି।

You might also like