ତିନି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ଜାଣନ୍ତୁ କଣ ରହିଛି ପୂରା କାର୍ଯ୍ୟକ୍ରମ

ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି

  • ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • କାଲି ରାଉରକେଲା NIT ଓ RSP କାର୍ଯ୍ୟକ୍ରମରେ କରିବେ ଯୋଗଦାନ
  • ସୋମବାର ଶ୍ରୀଜୀଉଙ୍କ ଦର୍ଶନ ସହ କରିବେ କୋଣାର୍କ ପରିଭ୍ରମଣ
  • ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ହୋଇଛି ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ବିମାନବନ୍ଦରରେ ଦେଶର ପ୍ରଥମ ନାଗରିକଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ନେତା, ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ମୋହନ ମାଝୀ ମଧ୍ୟ ସ୍ୱାଗତ କରିଛନ୍ତି। ତେବେ ଆସନ୍ତାକାଲି ରାଷ୍ଟ୍ରପତି ରାଉରକେଲା ଯାଇ NITର ସମାବର୍ତ୍ତନ ଉତ୍ସବ ଓ RSPର ସୁପର୍ ସ୍ପେଶାଲିଟି ହସପିଟାଲ୍କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୋମବାର ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ସ୍ଥାନରେ ଆଜି କାର୍କେଡ୍ ରିହର୍ସଲ୍ କରାଯାଇଛି।

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇଛି ରାଉରକେଲା। ଉତ୍କଣ୍ଠାରେ ଅଛନ୍ତି ଷ୍ଟିଲସିଟି ବାସିନ୍ଦା। ଆଜି କାରକେଡ୍ ରିହର୍ସଲ ବି ହୋଇଥିଲା ରାଉରକେଲାରେ। ବିମାନଘାଟିରୁ NIT, NITରୁ IGH ଯାଏଁ, ସବୁଠି ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ ଗସ୍ତ ହୋଇଛି। ପୂର୍ବରୁ ରିଜର୍ଭ ଲାଇନରେ ପୋଲିସ୍ ଅଧିକାରୀଙ୍କୁ ବ୍ରିଫିଂ କରିଛନ୍ତି ଏସପି ମୁକେଶ ଭାମୁ। ଗସ୍ତସୂଚୀ ଅନୁଯାୟୀ, ରାଷ୍ଟ୍ରପତି ଆସନ୍ତାକାଲି ଦିନ ୧୦ଟା ୩୫ରେ ରାଉରକେଲାରେ ପହଞ୍ଚିବେ। ଦିନ ୧୧ଟାରେ ରାଉରକେଲା NITର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପରେ ୧୨ଟାରୁ ୩ଟା ଯାଏଁ ରାଉରକେଲା ହାଉସରେ ବିଶ୍ରାମ ନେବେ। ଅପରାହ୍ଣରେ ଆଇଜିଏଚ୍ ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ଉଦଘାଟାନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦଙ୍କ ପୂର୍ବରୁ ୨୦୦୩ରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମ୍ ଷ୍ଟିଲସିଟି ଆସିଥିଲେ। NIT ରାଉରକେଲା ପ୍ରତିଷ୍ଠା ପରଠାରୁ କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏଠାକୁ ଆସୁଥିବାରୁ ଛାତ୍ରଛାତ୍ରୀ, ଅଧିକାରୀ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି।

୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିନ ଅର୍ଥାତ ସୋମବାର, ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରିବେ। ଏଥିପାଇଁ ଆଜି ଉଭୟ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରରେ ହୋଇଛି କାରକେଡ୍ ରିହର୍ସାଲ। ସୋମବାର ଦିନ ପ୍ରାୟ ୧୧ଟା ବେଳେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ ଡ କୋବିନ୍ଦ। ଏହାପୂର୍ବରୁ ୨୦୧୮ରେ ମଧ୍ୟ ସେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀଜୀଉଙ୍କ ଦର୍ଶନ ପରେ କୋଣାର୍କ ଅଭିମୁଖେ ବାହାରିବେ ରାଷ୍ଟ୍ରପତି। ଅପରାହ୍ଣ ୪ଟାରେ ସୂର୍ଯ୍ୟ ମନ୍ଦିର ନିକଟରେ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ଦ୍ୱାରା ନିର୍ମିତ ବାଖ୍ୟାନ କେନ୍ଦ୍ର ବୁଲି ଦେଖିବେ। ଏହାପରେ ବ୍ଳାକ୍ ପଗୋଡ଼ା-କୋଣାର୍କରେ ଦେଖିବେ କଳିଙ୍ଗ କଳାଭାସ୍କର୍ଯ୍ୟର ଅନନ୍ୟ ନିଦର୍ଶନ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ବାୟୁସେନା ଅଧିକାରୀ। କୋଣାର୍କ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଭୁବନେଶ୍ୱର ଫେରି ସେହିଦିନ ସଂଧ୍ୟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସବୁ ସ୍ଥାନରେ କୋଭିଡ୍ ନିୟମାବଳୀ ପାଳନ କରାଯିବ। ରାଷ୍ଟ୍ରପତିଙ୍କୁ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ବେଳେ କମ୍ ସଂଖ୍ୟକ ଅତିଥି ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ସେହିଭଳି କୌଣସି ସ୍ଥାନରେ ଫୁଲ, ଉପହାର କିମ୍ବା ସ୍ମୃତିଫଳକ ଦିଆଯାଇପାରିବ ନାହିଁ ବୋଲି ସୂଚନା ମିଳିଛି।

ପୁରୀରୁ ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର, କୋଣାର୍କରୁ ସଂଜୟ ପତିଙ୍କ ସହ ରାଉରକେଲାରୁ ପୱନ ତିୱାରୀଙ୍କ ରିପୋର୍ଟ

You might also like