ପହଣ୍ଡି ଆରମ୍ଭ, ସୁଦର୍ଶନଙ୍କ ପରେ ଆସିଲେ ବଳଭଦ୍ର

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡିଛି ପୁରୀ ସହର। ଆଜି ନୀଳକନ୍ଦରକୁ ଫେରିବେ ଶ୍ରୀଜିଉ। ସମସ୍ତେ ତତ୍ପର। ସଅଳ ସଅଳ  ଆରମ୍ଭ ହୋଇଯାଇଛି ନୀତିକାନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ହୋଇଗଲାଣି ପହଣ୍ଡି। ସେବାୟତମାନେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡିରେ ଆଣି ସାରିଲେଣି। ପଛକୁ ପଛ ବାହାରି ପଡିଲେଣି ବଡ ଭାଇ ବଳଭଦ୍ର। ସମସ୍ତେ ଯେମତି ବ୍ୟଗ୍ର ଯିବାପାଇଁ ଭକ୍ତଙ୍କ ଭିଡ଼କୁ।

ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହୋଇଛି ଚତୁର୍ଧାବିଗ୍ରହଙ୍କ ପହଣ୍ଡି । ସବୁକିଛି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି।

ସୁଦର୍ଶନଙ୍କୁ ପହଣ୍ଡିରେ ଆଣି ରଥାସୀନ କରାଯାଇଛି। ହରିବୋଲ, ହୁଳହୁଳି ଶବ୍ଦରେ ଶରଧାବାଲି ଉଛୁଳି ପଡ଼ୁଛି। ଲୋକଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

You might also like