ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି, ଆରମ୍ଭ ହେଲା ଛେରା ପହଁରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କ ଭାଇ, ଭଉଣୀଙ୍କ ସହିତ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଶେଷ ହୋଇଛି ପହଣ୍ଡି। ରଥାରୂଢ଼ ହୋଇ ସାରିଛନ୍ତି ଶ୍ରୀଜୀଉ । ପହଞ୍ଚି ଗଲେଣି ଠାକୁରଙ୍କ ଚଳନ୍ତି ପ୍ରତିମା ଗଜପତି ମହାରାଜା। ବଳଭଦ୍ରଙ୍କ ରଥରେ ପ୍ରାରମ୍ଭିକ ନୀତିକାନ୍ତି ସରିବା ପରେ ଆରମ୍ଭ କରିଛନ୍ତି ଛେରା ପହଁରା।

ଛେରା ପହଁରା ଅର୍ଥାତ ରଥ ଉପରେ ପଡିଥିବା ଚନ୍ଦନ, ପୁଷ୍ପକୁ ଗଜପତି ସୁନା ବେଣ୍ଟ ଲାଗିଥିବା ଖଡ଼ିକାରେ ସଫା କରିବେ। ବଳଭଦ୍ରଙ୍କ ରଥରେ ଛେରା ପହଁରା ସରିଲେ ସୁଭଦ୍ରା ଓ ତା ପରେ ଜଗନ୍ନାଥଙ୍କ ରଥରେ ହେବ ଛେରା ପହଁରା।

ଦିନ ୧୨ଟା ବେଳେ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଅଧାଘଣ୍ଟା ପୂର୍ବରୁ ପହଣ୍ଡି ଶେଷ ହେବା ସହ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇଛନ୍ତି। ସକାଳ ପ୍ରାୟ ୯ଟା ୧୫ ବେଳକୁ ପହଣ୍ଡି ଆରମ୍ଭ ହୋଇଯାଇଛି।

ନିୟମ ଅନୁଯାୟୀ, ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇଥିଲା। ଏହା ପରେ ମହାପ୍ରଭୁ ଶ୍ରୀବଳଭଦ୍ର, ମା’ ସୁଭଦ୍ର ଓ ଶେଷରେ କାଳିଆ ଠାକୁର ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ।

ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ଦିନ ଯେମିତି ସବୁ ନୀତିକାନ୍ତି ଶୀଘ୍ର ଶୀଘ୍ର ସମାପ୍ତ ହୋଇଥିଲା, ଆଜି ବି ସେମିତି ସବୁ କିଛି ସଅଳ ଚାଲିଛି।

ଶ୍ରୀଜିଉଙ୍କ ସେନାପଟା ଲାଗି, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ଓ ଖେଚୁଡ଼ି ଭୋଗ ଆଦି ନିର୍ଦ୍ଧାରିତ ସମୟଠାରୁ ସଅଳ ଶେଷ ହେବା ପରେ ପହଣ୍ଡି ଆରମ୍ଭ କରାଯାଇଥିଲା।

ଘୋଷଯାତ୍ରା ଦିନ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି କୁହାଯାଇଥିଲେ ହେଁ, ଏହାର ଯଥେଷ୍ଟ ପୂର୍ବରୁ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଯାଇଥିଲା। ଆଜି ବି ସେମିତି କିଛି ହେବ ବୋଲି ଆଶା କରାଯାଉଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

You might also like