ପୋଲିସ ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ପରିବାରର ୩ ସଦସ୍ୟଙ୍କୁ ଉଠାଇ ନେଇଛି ପୋଲିସ

ପୁରୀ: ପୋଲିସ ହେପାଜତରେ ପୁରୀର କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଏବେ ବିବାଦ ତେଜୁଛି।  ରମେଶଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ରମେଶଙ୍କ ବାପା, ମାଆ ଓ ଦାଦାଙ୍କୁ ଗତକାଲିଠାରୁ ନେଇ ଯାଇଛି ପୋଲିସ । ଏ ପଯର୍ଯ୍ୟନ୍ତ ସେମାନେ ଘରକୁ ଫେରି ନାହାନ୍ତି ।

ଏଯାଏ ୩ଜଣ ଘରକୁ ଫେରିନଥିବାରୁ ଘରେ କାନ୍ଦବୋବାଳି ପଡ଼ିଛି । ପୋଲିସ କାହିଁକି ସେମାନଙ୍କୁ ଛାଡ଼ି ନାହିଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଏହା ପଛରେ କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ।

ଅନ୍ୟପଟେ ଜାତୀୟ ମାନବାଧିକାର ଫ୍ରଣ୍ଚର ସଦସ୍ୟ ମାନେ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ପରିବାରକୁ ୫୦ ଲକ୍ଷ ସହାୟତା ଓ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ମାନବାଧିକାର କର୍ମୀ ଦାବି କରିଛନ୍ତି।  ପୋଲିସର ଥାର୍ଡ ଡିଗ୍ରୀ ଯୋଗୁଁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଗତକାଲି ସୃଷ୍ଟି ହୋଇଥିଲା ଉତ୍ତେଜନା ।

ଜଣେ ସିଟିଂ ଜଜ୍ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲ॥ ଏସ୍‌ପି କହିଥିଲେ, NHRC ଗାଇଡ୍ ଲାଇନ୍ ଅନୁସାରେ ଘଟଣାର ତଦନ୍ତ ହେବ । ଘଟଣାର ସମୀକ୍ଷା ମଧ୍ୟ କରିଛନ୍ତି ଆଇଜି ଇନ୍‌ଚାର୍ଜ ଏସ୍ ପ୍ରବୀଣ କୁମାର।

You might also like