ପୁଲିସ୍ ଲାଠିଚାର୍ଜ ପ୍ରତିବାଦରେ ପୁରୀରେ ଉତ୍ତେଜନା

ପୁଲିସ ଅାକ୍ରୋଶରୁ ବର୍ତ୍ତିଲେନି ସାମ୍ବାଦିକ, ଥାନାରେ ଏତଲା

ପୁରୀ : ପୁରୀରେ ପୁଲିସ ଲାଠି ଚାର୍ଜର ପ୍ରତିବାଦ। ଶୁକ୍ରବାର ପୁଲିସର ଅମାନୁଷିକ ଲାଠି ମାଡ଼ ପ୍ରତିବାଦରେ ଶନିବାର ଦେଖାଦେଇଥିଲା ଉତ୍ତେଜନା । ଗଣମାଧ୍ୟମ ପ୍ରତିନିଧିମାନେ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହାଛଡ଼ା ପୁଲିସର ମାଡ଼ ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏତଲା ଦିଅାଯାଇଛି। ସାମ୍ବାଦିକଙ୍କୁ କେଉଁ ପରିସ୍ଥିତିରେ ପୁଲିସ ମାଡ଼ ମାରିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି।

ଏସପି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ସିସିଟିଭି ଫୁଟେଜ ଅାଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଅାହତ ସାମ୍ବାଦିକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି କହିଛନ୍ତି ପୁରୀ ଏସପି।

ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଅାଗକୁ ଯେମିତି ଏଭଳି ଘଟଣା ନଘଟେ ସେନେଇ ଏସଓପି ପାଳନ କରାଯିବ । ପୁଲିସର ଲାଠିମାଡ ପ୍ରତିବାଦରେ ମେଡ଼ିକାଲ ଛକସ୍ଥିତ ଖୁଣ୍ଟିଅା ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକ । ଶୁକ୍ରବାର ଏହି ପେଟ୍ରୋଲ ପମ୍ପରେ କମ୍‌ ପରିମାଣର ଏବଂ ନିମ୍ନମାନର ପେଟ୍ରୋଲକୁ ନେଇ ଜଣେ ଗ୍ରାହକ ଅଭିଯୋଗ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା।

ଉତ୍ତେଜନା ବଢୁଥିବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲାଠିଚାର୍ଜ କରିଥିଲା। ଏହି ସମୟରେ ସେଠାରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ପୁଲିସ ଲାଠିମାଡ଼ କରିଥିବା ଅଭିଯୋଗ ହୋଇଥିଲା । ତେବେ କମ୍‌ ପେଟ୍ରୋଲ ବାହାରିବା ପ୍ରସଙ୍ଗରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like