୪୧ ଘଣ୍ଟା ପାଇଁ ପୁରୀ ଜିଲ୍ଲା ସଟ୍‌ଡାଉନ

ପୁରୀ: ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସଟଡାଉନ ଘୋଷଣା। ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ତମାମ ପୁରୀ ଜିଲ୍ଲାକୁ ସଟଡାଉନ କରାଯାଇଥିବାରୁ କର୍ଫ୍ୟୁ ଭଳି ସ୍ଥିତି ରହିବ। ତେଣୁ ପୁରୀ ଜିଲ୍ଲାକୁ କୌଣସି ବାହାର ଲୋକ ଆସନ୍ତୁନି ଏବଂ ପୁରୀ ଜିଲ୍ଲା ଲୋକ ବି ବଡ଼ଦାଣ୍ଡକୁ ଆସନ୍ତୁନି କହିଛନ୍ତି ଡିଜିପି। ରଥଯାତ୍ରା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ରଥ ଟାଣିବା ସହ ଅନଧିକୃତ ଲୋକ ଯେପରି ବଡ଼ଦାଣ୍ଡରେ ପ୍ରବେଶ କରିନପାରିବେ, ସେଦିଗରେ ପୋଲିସ ବାହିନୀ ନିୟୋଜିତ ହେବେ। ରଥଯାତ୍ରା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଏବଂ ଗତକାଲି ଠାରୁ ଫୋର୍ସ ମୁତୟନ ଆରମ୍ଭ ହୋଇସାରିଛି ବୋଲି ସେ କହିଛନ୍ତି।

ସେପଟେ ପୁରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସରେ ଆଇନମନ୍ତ୍ରୀ ପ୍ରତାପ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୋଲିସ ଡିଜି ଅଭୟ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ। ରଥଯାତ୍ରା ପାଇଁ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ୩ଜଣ ମନ୍ତ୍ରୀ ଓ ଯୋଜନାବୋର୍ଡ ଉପାଧ୍ୟକ୍ଷ ରଥଯାତ୍ରା ସରିବା ପର୍ଯ୍ୟନ୍ତ ପୁରୀରେ କ୍ୟାମ୍ପ କରି ରହିବେ ବୋଲି ସୂଚନା ମିଳିଛି।

You might also like