ଆଜି ବଡ଼ଦାଣ୍ଡରେ ଜଳିବ ବିଦ୍ୟୁତ୍‌ ଆଲୋକ

ପୁରୀ: ବାତ୍ୟା ‘ଫୋନି’ ମାଡ଼ ହେବାର ୧୨ ଦିନ ପରେ ପୁରୀ ସହରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଏହାପରେ କଚେରୀ, ଅଠରନଳା, ଚାରିନଳା ଓ ବଳିଆପଣ୍ଡା ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଜଣାପଡ଼ିଛି।

ତେବେ କୌଣସି ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ। ଆଜି ପ୍ରଥମେ ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ସହ ଲାଇଟ୍ ଜଳାଇବାକୁ ଲକ୍ଷ୍ୟ ରଖାଯାଇଛି।

ମେ’ ୩ରେ ପୁରୀରେ ସାମୁଦ୍ରିକ ଝଡ଼ ‘ଫୋନି’ ଲ୍ୟାଣ୍ଡଫଲ୍ କରିଥିଲା। ବର୍ଷା ସାଙ୍ଗକୁ ୨୪୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା। ଫଳରେ ପୂରା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଥିଲା। ଶହ ଶହ ସଂଖ୍ୟାର ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ତାର ଛିଣ୍ଡି ଯାଇଥିଲା। ଏଥିଯୋଗୁ ପୁରୀରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ବିଦ୍ୟୁତ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ୧୨ ଦିନ ପରେ ଗତକାଲି ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା।

ତେବେ ବ୍ୟକ୍ତିଗତ ବିଜୁଳି ସଂଯୋଗ ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ କୁହାଯାଇଛି। ତରବର ନ ହୋଇ ଘରକୁ ବିଦ୍ୟୁତ୍ ଯିବା ଯାଏ ଅପେକ୍ଷା କରିବାକୁ ସେସୁର ପୁରୀ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ସମସ୍ତ ଯାଞ୍ଚ ପରେ ଘରକୁ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ସେ କହିଛନ୍ତି।

You might also like